ହନୁମାନ ପଇସା ର‍୍ୟାକେଟ୍ ନାଁରେ ଲୁଟୁଥିବା ଗ୍ୟାଙ୍ଗକୁ ଧରିଲା ବାଲିଗୁଡ଼ା ପୋଲିସ୍‌, ଡକାୟତି ଯୋଜନା ବେଳେ ଗିରଫ

ବାଲିଗୁଡ଼ା (କେ ନ୍ୟୁଜ୍‌) : ବଡ଼ ଡକାୟତି ଯୋଜନାକୁ ପଣ୍ଡ କଲା ବାଲିଗୁଡ଼ା ପୋଲିସ୍ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମହାସିଙ୍ଗ ନିକଟ ପଥପ୍ରାନ୍ତ କେନ୍ଦ୍ର ପାଖରେ ଚାଲିଥିଲା ଡକାୟତି ଯୋଜନା । ଏତିକି ବେଳେ ତିନି ଡକାୟତଙ୍କୁ ଗିରଫ କରିଛି ବାଲିଗୁଡା ପୋଲିସ। ସେମାନଙ୍କ ଠାରୁ ୮୦ ହଜାର ଟଙ୍କା ଓ ମୋବାଇଲ ଜବତ ହୋଇଛି ।
ଏହି ଡକାୟତ ଗ୍ୟାଙ୍ଗ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ହନୁମାନ ପଇସା ନିଜ ପାଖରେ ଥିବା କହି ବିଭିନ୍ନ ପାର୍ଟିକୁ ପ୍ରଲୋଭିତ କରୁଥିଲେ । ଏହାର ମୂଲ୍ୟ ପାଞ୍ଚରୁ ଦଶ ଲକ୍ଷ ଟଙ୍କା ଯାଏ ଧାର‌୍ୟ୍ୟ କରି ଗ୍ରାହକ ଯୋଗାଡ଼ କରୁଥିଲେ । ଏଥିସହ, ହନୁମାନ ମୁଦ୍ରାରେ ମ୍ୟାଗନେଟ୍ ଥିବା କହି ବଡ଼ ବଡ଼ ପାର୍ଟିକୁ ଭୁତାଉଥିଲେ । କିଛି ଚାଉଳ ରଖି ଏହାକୁ ହନୁମାନ ପଇସା ଟାଣୁଥିବା ଭିଡ଼ିଓ ପଠାଉଥିଲେ । ପାର୍ଟି ଯୋଗାଯୋଗ କଲେ ଏହି ଗ୍ୟାଙ୍ଗ ଅନ୍ୟତ୍ର ନିଛାଟିଆ ଜାଗାକୁ ଡାକି ତାଙ୍କ ଠାରୁ ଟଙ୍କା ଲୁଟି ନେଉଥିଲେ । ଏପରି ଏକ ପାର୍ଟିକୁ ମହାସିଙ୍ଗ ନିକଟକୁ ଡାକି ଡକାୟତି ପାଇଁ ଯୋଜନା କରିଥିଲେ ଏହି ଗ୍ୟାଙ୍ଗ ।

ଏହି ସମୟରେ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ ଡିଏସ୍‌ପିଙ୍କ ମିଳିତ ଟିମ ପହଞ୍ଚି ଡକାୟତମାନଙ୍କୁ ଧରିଥିଲେ । ଗ୍ୟାଙ୍ଗର ମୁଖ୍ୟ ମାଷ୍ଟର ମାଇଣ୍ଡ ଫିରିଙ୍ଗିଆ ଥାନା ପୁତୁକିପଡା ଗ୍ରାମର ପଦ୍ମ ଚରଣ ନାୟକ ସମେତ ତିନି ଜଣକୁ ଗିରଫ କରିବା ସହ ସେମାନଙ୍କ ଠାରୁ ପୋଲିସ୍ ଅଧିକ ତଥ୍ୟ ସଂଗ୍ରହ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.