Below header

ସୁନ୍ଦରୀର ଘର ବାହୁଡ଼ା…ନେବାକୁ ମଧ୍ୟପ୍ରଦେଶ କାହ୍ନାରୁ ଆସୁଛନ୍ତି ସ୍ୱତନ୍ତ୍ର ଟିମ୍‌

ଅନୁଗୁଳ: ସୁନ୍ଦରୀର ଘର ବାହୁଡ଼ା । ସାତକୋଶିଆରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ। ମଧ୍ୟପ୍ରଦେଶ କାହ୍ନାରୁ ଏକ ସ୍ୱତନ୍ତ୍ର ଟିମ୍‌ ତାକୁ ନେବାପାଇଁ ଆସୁଛନ୍ତି। ଆଜି କିମ୍ବା କାଲି ଭିତରେ ସାତକୋଶିଆରେ ପହଞ୍ଚିବେ । ଟିମ୍‌ ସଦସ୍ୟମାନେ ପ୍ରଥମେ ସୁନ୍ଦରୀର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବେ। ସୁସ୍ଥ ଥିଲେ ତାକୁ ସ୍ୱତନ୍ତ୍ର ଗାଡିରେ କାହ୍ନାର ଘୋରେଲା ଅଭୟାରଣ୍ୟକୁ ନିଆଯିବ। ସେଠାରେ ବନ୍ୟ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ ହେବ।

ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ୨୦୧୮ରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ମହାବୀର ଓ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା। ସାତକୋଶିଆରେ ଜୈବ ବିବିଧତା ଫେରାଇ ଆଣିବା ଓ ବାଘ ବଂଶ ବୃଦ୍ଧି କରିବାକୁ ମହାବୀର ଓ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟର ଛଡ଼ା ଯାଇଥିଲା। କିନ୍ତୁ ମହାବୀରର ସନ୍ଦେହଜନକ ମୃତ୍ୟୁ ଓ ପରେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୁନ୍ଦରୀ ଆକ୍ରମଣ କରିବା ଅଭିଯୋଗ ହେବା ପରେ ବିବାଦ ଉଠିଥିଲା। ସୁନ୍ଦରୀକୁ ରାଇଗୁଡ଼ା ରେଞ୍ଜ୍‌ରେ ଏକ ଏନକ୍ଲୋଜରରେ ରଖାଯାଇଥିଲ। । ଏନେଇ ଏନଟିସିଏ ଆପତ୍ତି ଉଠାଇଥିଲା।

ଏନକ୍ଲୋଜରରେ ସୁନ୍ଦରୀ ନିଜର ହିଂସ୍ର ପ୍ରବୃତ୍ତି ଭୁଲି ଯାଇଥିବା ଅଭିଯୋଗ ହୋଇଥିଲା। ବାଘୁଣୀ ସୁନ୍ଦରୀର ଭବିଷ୍ୟତ କଣ ନେଇ ମଧ୍ୟପ୍ରଦେଶ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ପରେ ମଧ୍ୟପ୍ରଦେଶ ସରକାର ମଧ୍ୟ ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଥିଲେ। କାହ୍ନା ଅଭୟାରଣ୍ୟକୁ ଫେରିବା ପର୍ଯ୍ୟନ୍ତ ସୁନ୍ଦରୀକୁ ଅନୁକୂଳ ପରିବେଶ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ସୁନ୍ଦରୀର ପର୍ଯ୍ୟାପ୍ତ ଦେଖାଶୁଣା କରିବାକୁ ଚିଠିରେ ଅନୁରୋଧ କରିଥିଲେ। ଶେଷରେ ସୁନ୍ଦରୀ କାହ୍ନା ଫେରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.