ରାଜେନ୍ଦ୍ରଙ୍କ ଟ୍ରାଇ ସାଇକେଲ, ଭିନ୍ନକ୍ଷମଙ୍କୁ କରିବ ଆହୁରି ସ୍ବାଧୀନ

କଟକ(କେନ୍ଯୁଜ୍): ଭିନ୍ନକ୍ଷମମାନେ କିପରି ସହଜରେ କରିପାରିବେ ଯାତାୟତ, କିପରି ସେମାନେ ସ୍ୱାଧୀନ ଭାବେ ନିଜ କାମ ନିଜେ ଯାଇ କରିପାରିବେ, ସେଥିପାଇଁ କିଛି ଅଲଗା କରି ଦେଖାଇଛନ୍ତି କଟକ ଯୋବ୍ରା ଅଂଚଳର ଜଣେ ମେକାନିକ । ଯିଏ ତିଆରି କରିଛନ୍ତି ଟ୍ରାଏ ସାଇକେଲ। ନିଜ ହାତରେ ଏହି ସାଇକେଲ ତିଆରି କରି ଏବେ ଚର୍ଚ୍ଚାରେ କଟକ ଯୋବ୍ରା ଅଂଚଳର ମେକାନିକ ରାଜେନ୍ଦ୍ର ବେହେରା ।
ଭିନ୍ନକ୍ଷମ ଲୋକଙ୍କ ପାଇଁ ଏକ ସୁନ୍ଦର ବ୍ୟାଟେରୀ ଚାଳିତ ଟ୍ରାଏ ସାଇକେଲ ତିଆରି କରିଛନ୍ତି ରାଜେନ୍ଦ୍ର । ଜଣେ ମେକାନିକ ଭାବେ ପରିଚିତ ରାଜେନ୍ଦ୍ର ତିଆରି କରିଥିବା ସାଇକେଲକୁ ଭିନ୍ନକ୍ଷମ ଲୋକ ସହଜରେ ଚଳାଇ ପାରିବେ। ଏହି ଟ୍ରାଏ ସାଇକେଲ ଥରେ ଚାର୍ଜ ହେଲେ ଘଣ୍ଟାକୁ ୧୫ରୁ ୩୦କିଲୋମିଟର ଗତିରେ ୪୦ କିଲୋମିଟର ଯାଇ ପାରିବ। ଏହି ଟ୍ରାଏ ସାଇକେଲ ରେ ସେ ୧୮ ଏ.ଏଚ କ୍ଷମତାର ବ୍ୟାଟେରୀ ଲଗାଇଛନ୍ତି । ଏହାର ଗୁରୁତ୍ୱ ହେଉଛି ଦୁଇଟି ଗୋଡ ଓ ଗୋଟିଏ ହାତ ନ ଥିବା ଭିନ୍ନକ୍ଷମ ଲୋକଟିଏ ସହଜରେ ଗୋଟିଏ ହାତରେ ଏହାକୁ ଚଳାଇ ପାରିବ। ଗୋଟିଏ ହ୍ୟାଣ୍ଡଲରେ ସାଇକେଲର ବେଗ ବଢାଇବା ସହ ବ୍ରେକ କରିହେବ। ଆଗକୁ ସରକାର ଓ ଘରୋଇ ସଂଗଠନ ର ପ୍ରୋତ୍ସାହନ ମିଳିଲେ ସେ କମ ଦାମରେ ଏହି ବ୍ୟାଟେରୀ ଟ୍ରାଏ ସାଇକେଲ ତିଆରି କରି ଯୋଗାଇ ଦେଇ ପାରିବେ ବୋଲି କହିଛନ୍ତି ।
ଅନ୍ଯପଟେ ଟ୍ରାଇ ସାଇକେଲ ନେଇ ଯିବା ଆସିବା କରନ୍ତି କଟକ ଗାନ୍ଧୀପଲ୍ଲୀ କୁଷ୍ଠାଶ୍ରମର ଭିନ୍ନକ୍ଷମ ବ୍ୟକ୍ତିମାନେ। ସେମାନଙ୍କ କଷ୍ଟ ଦେଖି ଏପରି ଚିନ୍ତା ଆସିଲା ତାଙ୍କ ମୁଣ୍ଡକୁ। ହର୍ନ ଠାରୁ ନେଇ ଲାଇଟ ପର୍ଯ୍ୟନ୍ତ ସବୁକିଛି ଲଗାଯାଇଛି ଏହି ସାଇକେଲରେ। ବିଭିନ୍ନ କମ୍ପାନୀ ଟ୍ରାଏ ସାଇକେଲ ତିଆରି କରୁଥିଲେ ସୁଦ୍ଧା ଏହାକୁ ଉଠାଣି ସ୍ଥାନ ଓ ଦୂରକୁ ଚଳାଇ ନେବା କଷ୍ଟକର ଅଟେ। ତେଣୁ ଭିନ୍ନକ୍ଷମ ଲୋକମାନେ କିପରି ନିଜେ ଯାତାୟତ କରିବା ସହିତ ଟ୍ରାଏ ସାଇକେଲ ସାହାଯ୍ୟ ରେ ନିଜେ କିଛି ବ୍ୟବସାୟ କରି ସ୍ୱାବଲମ୍ବି ହୋଇ ପାରିବେ ସେହି ଲକ୍ଷ ନେଇ ରାଜେନ୍ଦ୍ର ଏହି ବ୍ୟାଟେରୀ ଟ୍ରାଏ ସାଇକେଲ ତିଆରି କରିଛନ୍ତି । ଆଶା ସରକାର ଓ ଘରୋଇ ସଂସ୍ଥା ପ୍ରୋତ୍ସାହନ ଦେଲେ କମ ଦାମରେ ସେ ଟ୍ରାଏ ସାଇକେଲ ତିଆରି କରି ଗରିବ ଲୋକଙ୍କୁ ଦେଇ ପାରିବେ।
କେବଳ ଟ୍ରାଏ ସାଇକେଲ ନୁହେଁ, ଆଗକୁ ଦୁଇ ଚକିଆ ପୁରୁଣା ମଡେଲ ସାଇକେଲ ଗୁଡିକୁ ମଧ୍ୟ ବ୍ୟାଟେରୀ ଚାଳିତ କରିବାକୁ ଯୋଜନା କରୁଛନ୍ତି ରାଜେନ୍ଦ୍ର। ଏଥିପାଇଁ ତାଙ୍କୁ ଲୋଡା ପ୍ରୋତ୍ସାହନ ।