ହରିଣଙ୍କ ଯୋଗୁ ସୃଷ୍ଟି ହୋଇପାରେ କରୋନାର ନୂଆ ଭାରିଆଣ୍ଟ, ସାମ୍ନାକୁ ଆସିଲା ତଥ୍ୟ; ମଣିଷକୁ ଚେତାବନୀ ଦେଲେ ବୈଜ୍ଞାନିକ

ହରିଣଙ୍କ ଯୋଗୁ ମଣିଷ ସମ୍ଭବତଃ କରୋନା ଭାଇରସ୍ର ଆଉ ଏକ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇପାରେ। ବୈଜ୍ଞାନିକମାନେ ଏ ବିଷୟରେ ଚେତାବନୀ ଦେଇଛନ୍ତି। ବାସ୍ତବରେ, ଭାଇରସ୍ର ଅତି କମରେ ତିନୋଟି ଭାରିଆଣ୍ଟ ଜଙ୍ଗଲି ଧଳା ଲାଞ୍ଜ ଥିବା ହରିଣଙ୍କଠାରେ ଚିହ୍ନଟ ହୋଇଛି। ଆମେରିକାର ଓହିଓରେ ଏକ ଅଧ୍ୟୟନ କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ ପଶୁମାନେ ଭାଇରସ୍ ପାଇଁ ଏକ ‘ଜଳାଶୟ’ର କାମ କରି ପାରିବେ ଏବଂ ସେମାନଙ୍କଠାରୁ ଅଧିକ ବିପଜ୍ଜନକ ଭାରିଆଣ୍ଟ ସାମ୍ନାକୁ ଆସି ପାରିବ।
ସମଗ୍ର ବିଶ୍ୱରେ ମଝିରେ ମଝିରେ ସାମ୍ନାକୁ ଆସୁଥିବା କୋଭିଡର ନୂଆ ଭାରିଆଣ୍ଟଗୁଡ଼ିକ ମଣିଷର ଚିନ୍ତା ବଢ଼ାଇ ଦେଉଛନ୍ତି। ଏବେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି, ଯାହା ଦ୍ରୁତ ଗତିରେ ମାଡ଼ି ଚାଲିଛି। ଓହିଓ ଷ୍ଟେଟ ୟୁନିଭର୍ସିଟିରେ ଅଧ୍ୟୟନର ବରିଷ୍ଠ ଲେଖକ ପ୍ରଫେସର ଆଣ୍ଡ୍ରୟୁ ବୋମନ୍ କହିଛନ୍ତି, ଅଧ୍ୟୟନର ପ୍ରମାଣକୁ ଆଧାର କରି ଆମେ ଜାଣୁ ଯେ ହରିଣମାନେ ଜଙ୍ଗଲରେ ଭାଇରସ୍ର ଶିକାର ହୋଇ ପାରନ୍ତି। ଲ୍ୟାବରେ ଆମେ ହରିଣମାନଙ୍କୁ ସଂକ୍ରମିତ କରି ପାରିବା ଏବଂ ଏହି କାରଣରୁ ହରିଣରୁ ହରିଣ ପର୍ଯ୍ୟନ୍ତ ଭାଇରସ୍ ବ୍ୟାପି ପାରିବ।
ସେ କହିଛନ୍ତି, ଆମେ ଅନୁମାନ କରୁଛୁ କି, ଯଦି ସେମାନେ ଜଙ୍ଗଲରେ ସଂକ୍ରମିତ ହେଉଛନ୍ତି ଏବଂ ଯଦି ସେମାନଙ୍କ ଭିତରେ ଭାଇରସ୍ ରହିଥାଏ, ତ ସେମାନେ ମଣିଷକୁ SARS-CoV-2ର ନୂଆ ଭାରିଆଣ୍ଟରେ ସଂକ୍ରମିତ କରି ପାରିବେ। ୩୬୦ ପଶୁଙ୍କଠାରୁ ନିଆଯାଇଥିବା ନମୁନା ଭିତରୁ ଏକ ତୃତୀୟାଂଶରେ ହରିଣମାନଙ୍କଠାରେ ମିଳିଥିବା ୩ ଭାରିଆଣ୍ଟ ଚିହ୍ନଟ ହୋଇଛି। ସେମାନଙ୍କୁ ୬ଟି ଅଲଗା ଅଲଗା ଜାଗାରେ ଚିହ୍ନଟ କରାଯାଇଥିଲା।
ହରିଣମାନଙ୍କ ମଧ୍ୟରେ ଭାଇରସ୍ ବ୍ୟାପିବାର ପ୍ରମାଣ ରହିଛି। ଏଥିରୁ ଜଣାପଡ଼ିଛି କି, ସେମାନେ ଅଧିକ ବିପଜ୍ଜନକ ଭାରିଆଣ୍ଟକୁ ସାମ୍ନାକୁ ଆଣି ପାରିବେ। ଜାନୁଆରୀ ଏବଂ ମାର୍ଚ୍ଚ ୨୦୨୧ ମଧ୍ୟରେ ହରିଣଙ୍କଠାରୁ ନମୁନା ନିଆଯାଇଥିଲା। ଏହି ସମୟରେ ନା ଡେଲଟା ଭାରିଆଣ୍ଟ ସାମ୍ନାକୁ ଆସିଥିଲା ନା ଅନ୍ୟ କୌଣସି ଭାରିଆଣ୍ଟ। ଏହାପରେ ଜିନୋମ ସିକ୍ୱେସିଙ୍ଗ୍ରୁ ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଥିଲା। ବାସ୍ତବରେ, ହରିଣମାନଙ୍କଠାରେ ମିଳିଥିବା ଭାରିଆଣ୍ଟ ସେହି ଭାରିଆଣ୍ଟ ବରାବର ଥିଲା, ଯାହା ସ୍ଥାନୀୟ କୋଭିଡ୍ ରୋଗୀଙ୍କଠାରେ ମିଳିଥିଲା। ଭାଇରସ୍ର ବିଭିନ୍ନ ଭାରିଆଣ୍ଟର ଉପସ୍ଥିତି ଏହା ସୂଚିତ କରେ ଯେ ଏହା ଜଙ୍ଗଲି ହରିଣମାନଙ୍କ ମଧ୍ୟରେ ରହିପାରେ। ଏ ପର୍ଯ୍ୟନ୍ତ ଏହା ଜଣାପଡି ନାହିଁ କି, ହରିଣମାନେ କେମିତି ସଂକ୍ରମିତ ହେଲେ ଏବଂ ପଶୁମାନଙ୍କ ଶରୀରରେ ଭାଇରସ୍ କେମିତି ଆଚରଣ କରିଥାଏ।
ଏହି ଫଳାଫଳକୁ ଭିତ୍ତି କରି ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ସଂକ୍ରମଣର ପ୍ରସାର ୧୩.୫ରୁ ୭୦ ପ୍ରତିଶତ ମଧ୍ୟରେ ରହିଛି। ପ୍ରଫେସର ଆଣ୍ଡ୍ରୟୁ ବୋମନ୍ କହିଛନ୍ତି, ହରିଣମାନଙ୍କ ମଧ୍ୟରେ ଭାଇରସ୍ର ଉପସ୍ଥିତିରୁ ଦୁଇଟି ଜିନିଷ ହୋଇପାରେ। ପ୍ରଥମ କଥା ହେଉଛି, ହରିଣଙ୍କ ଭିତରେ କୋଭିଡର ରୂପ ପରିବର୍ତ୍ତନ ହେଲେ ମଣିଷଙ୍କ ସମେତ ଅନ୍ୟ ପ୍ରଜାତିଙ୍କ ପାଖରେ ଏକ ନୂଆ ଭାରିଆଣ୍ଟ ପହଞ୍ଚି ପାରିବ। ଦ୍ୱିତୀୟରେ ଏହା ହୋଇପାରେ, ହରିଣମାନଙ୍କୁ ସଂକ୍ରମିତ କରୁଥିବା ଭାରିଆଣ୍ଟରୁ ରକ୍ଷା ପାଇବା ପାଇଁ ଆମ ପାଖରେ ଇମ୍ୟୁନିଟି ନ ଥିବ। ଯଦି ହରିଣମାନଙ୍କ କାରଣରୁ ଏକ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଛି, ତା’ ହେଲେ ମଣିଷର ସମସ୍ୟା ଆହୁରି ବଢ଼ିଯିବ।