Below header

ବାଇକକୁ ଧକ୍କା ଦେଲା ଟ୍ରକ: ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

୧୬ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ସ୍ୱାମୀ ସମ୍ମୁଖରେ ଚାଲି ଯାଇଛି ସ୍ତ୍ରୀର ଜୀବନ।

ଯାଜପୁର (କେନ୍ୟୁଜ): ୧୬ନଂ ଜାତୀୟ ରାଜପଥରେ ଥମୁନି ଦୁର୍ଘଟଣା। ବିଶେଷ କରି ଚଣ୍ଡିଖୋଲରୁ ଜାରକା ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ହେଉଛି। ଗତକାଲି ରାତିରେ ୧୬ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ସ୍ୱାମୀ ସମ୍ମୁଖରେ ଚାଲି ଯାଇଛି ସ୍ତ୍ରୀର ଜୀବନ।

ଗତକାଲି ରାତି ୯ଟା ସମୟରେ ଏକ ବାଇକରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ବାଇକ ଯୋଗେ ଫେରୁଥିବା ସମୟରେ ସାରୋଇ ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଆହତ ହୋଇଥିଲେ। ମୃତ ମହିଳା ଭଦ୍ରକ ଧାମନଗର ଅଞ୍ଚଳର ଚିରଞ୍ଜିବି ମଲ୍ଲଙ୍କ ପତ୍ନୀ ନନ୍ଦିତା ଜେନା ବୋଲି ଜଣାପଡିଛି।

ଖବର ପାଇ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଂଚିଥିଲା। ଦୁର୍ଘଟଣା ପରେ ବହୁ ଲୋକ ସେଠାରେ ରୁଣ୍ଡିଭୁତ ହୋଇଥିବା ବେଳେ ଧର୍ମଶାଳା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଖୋଦ ମୃତଦେହକୁ ଉଠାଇ ଆମ୍ବୁଲାନ୍ସରେ ଭର୍ତ୍ତି କରିଥିଲେ। ଏଥିସହ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଟ୍ରକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ସେହିପରି ଆଜି ସକାଳୁ ସକାଳୁ ଏହି ଜାତୀୟ ରାଜପଥର ଚଣ୍ଡିଖୋଲ ନିକଟରେ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକ ପଛପଟୁ ଅନ୍ୟ ଏକ ଟ୍ରକ ଧକ୍କା ଦେବା ଫଳରେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏହି ଜାତୀୟ ରାଜପଥରେ ଦୁର୍ଘଟଣା ଥମିବାର ନାଁ ଧରୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.