ଖାଇବାକୁ ମାଗିଲେ ମିଳୁଛି ଅକଥନୀୟ ନିର୍ଯାତନା, ଡିସିପିଙ୍କୁ ନ୍ୟାୟ ମାଗୁଛନ୍ତି ୭୫ ବର୍ଷର

ଦଶ ମାସ ଦଶ ଦିନ ଗର୍ଭରେ ରଖି ପୁଅ କୁ ଜନ୍ମ ଦେଇଥିଲା ମାଆ । ଭାବିଥିଲା ପରିଣତ ବୟସରେ ବୃଦ୍ଧା ମାଆକୁ ସାହାରା ହେବ। କିନ୍ତୁ ମାଆକୁ ସମ୍ପତି ଓ ଟଙ୍କା ଲୋଭରେ ଘରୁ ବାହାର କରିଦେଉଛି, ଖାଇବାକୁ ନଦେଇ ଘରେ ଚାବି ପକାଇଦେଉଛି ପୁଅ ।

ଭୁବନେଶ୍ୱର (କେନ୍ୟୁଜ୍):  ଦଶ ମାସ ଦଶ ଦିନ ଗର୍ଭରେ ରଖି ପୁଅକୁ ଜନ୍ମ ଦେଇଥିଲା ମାଆ । ଭାବିଥିଲା ପରିଣତ ବୟସରେ ବୃଦ୍ଧା ମାଆକୁ ସାହାରା ହେବ। କିନ୍ତୁ ମାଆକୁ ସମ୍ପତି ଓ ଟଙ୍କା ଲୋଭରେ ଘରୁ ବାହାର କରିଦେଉଛି, ଖାଇବାକୁ ନଦେଇ ଘରେ ଚାବି ପକାଇଦେଉଛି ପୁଅ।

ଦେଖନ୍ତୁ କେମିତି କଇଁ କଇଁ କାନ୍ଦୁଛି ବୁଢୀ ମାଆ । ଖାଇବାକୁ ଦେଉ ନାହାନ୍ତି ପୁଅ ବୋହୁ। ଖାଇବାକୁ ମାଗିଲେ ଦେଉଛନ୍ତି ଅକଥନୀୟ ନିର୍ଯ୍ୟାତନା । ପେନସନ ଟଙ୍କା ଓ ଜାଗା ବାଡ଼ି ପାଇଁ ବୁଢୀ ମାଆ କୁ ମାଡ଼ ମାରିବାକୁ ବି ପଛାଇ ନାହାନ୍ତି ପୁଅ, ବୋହୂ ଓ ନାତି । ମୁଁ ଗୁଣ୍ଡିଚା ରାଣୀ କହୁଛି ମୋତେ ନ୍ୟାୟ ଦିଅନ୍ତୁ… ଡିସିପି ଙ୍କ ପାଖେ ଗୁହାରି କରିଛନ୍ତି ବାଲିପାଟଣା ଅଞ୍ଚଳର ୭୫ ବର୍ଷୀୟ ବୃଦ୍ଧା । ର୍ନିଯାତନା ସହି ନପାରି ସାନ ଝିଅ ପାଖକୁ ପଳାଇ ଆସିଥିଲେ ବୃଦ୍ଧା ଜଣଙ୍କ।

ପୁଅ ଅରୁଣ କୁମାର ସେନାପତି, ବୋହୂ ପ୍ରତିମା ସେନାପତି ଓ ନାତି ଅଭିଳାଷ ସେନାପତିଙ୍କ ନାଁରେ ଏହିଭଳି ଅଭିଯୋଗ ଆଣି ପ୍ରଥମେ ବାଲିପାଟଣା ଥାନା ଓ ପରେ ଡିସିପି ଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧା ମାଆ ଜଣଙ୍କ । ବୃଦ୍ଧାଙ୍କ ପୁଅ ଜଣେ ସରକାରୀ ଚାକିରିଆ । ଗୋଟେ ପୁଅ ହୋଇଥିବାରୁ ତାକୁ ମଣିଷ କରିବା ପାଇଁ ନିଜ ପେଟ କାଟି ଖାଇବାକୁ ଦେଇଥିଲେ। ହେଲେ ଆଜି ସେହି ପୁଅ ସାମାନ୍ୟ କିଛି ଟଙ୍କା ଓ ଜାଗା ପାଇଁ ଘରୁ ତଡ଼ି ଦେଉଛି । ତେବେ ଡିସିପିଙ୍କ ନିକଟରେ ବୃଦ୍ଧା ଜଣଙ୍କ ଗୁହାରି କରିବା ପରେ ପୋଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକିରହିଲା ।

ଆଜି ମଲେ କାଲିକୁ ଦି ଦିନ । ଲୋଭ, ମାୟା ସଂସାରରେ ଟିକେ ଭଲ ପାଇବା, ସ୍ନେହ, ମମତା ଆବଶ୍ୟକ । ସବୁ ଜାଣି ବି ସ୍ୱାର୍ଥବାଦୀ ହୋଇ ନିଜ ଜନ୍ମକଲା ବାପା ମାଙ୍କ ହି ହନ୍ତସନ୍ତ କରିବାକୁ ପଛାଉ ନାହାନ୍ତି ଆଜିକାଲିର କିଛି ଭଦ୍ରମୁଖା ପିନ୍ଧିଥିବା ବ୍ୟକ୍ତି । ତେବେ ଏ ଶିକ୍ଷିତ ସମାଜରେ ଏହିଭଳି ଘଟଣାକୁ ଚାରି ଆଡୁ ନିନ୍ଦା କରାଯାଇଛି। ଆଶା ଏ ଖବର ବାଜିବା ପରେ ବୃଦ୍ଧା ଜଣଙ୍କୁ ତାଙ୍କ ପୁଅ, ବୋହୂ ଓ ନାତି ଘରକୁ ପାଛୋଟି ନେବେ । ପୁଣି ତାଙ୍କ ସଂସାର ରଥକୁ ଖୁସିରେ ଆଗକୁ ଟାଣିନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.