ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ହେବେ ଦୁଇ ଜଣ ନୂଆ ବିଚାରପତି
ନୂଆ ବିଚାରପତିପାଇଁ ବରିଷ୍ଠ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ଜୁଡିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍

କଟକ(କେନ୍ୟୁଜ୍): ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ହେବେ ଦୁଇ ଜଣ ନୂଆ ବିଚାରପତି । ଏଥିପାଇଁ ବରିଷ୍ଠ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ଜୁଡିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କର ଦୁଇ ବରିଷ୍ଠ ସହଯୋଗୀଙ୍କ ସହ ପରାମର୍ଶ କରି ଗତ ଜାନୁଆରୀ ୧୭ ତାରିଖରେ ସେମାନଙ୍କର ନାଁ ସୁପାରିଶ କରିଥିଲେ । ସୁପାରିଶରେ ସହମତି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ଶିବ ଶଙ୍କର ମିଶ୍ର ୧୯୯୧ ଡିସେମ୍ବର ୭ ତାରିଖରେ ଆଇନଜୀବୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କର ବାରରେ ୩୦ ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଶିବ ଶଙ୍କର ମିଶ୍ରଙ୍କ ଦେୱାନୀ, ଅପରାଧିକ ଓ ସର୍ଭିସ ଲ ମାମଲାରେ ପାରଦର୍ଶିତା ରହିଛି । ସେହିପରି ଜୁଡିସିଆଲ ଅଫିସର ଭାବରେ ଆନନ୍ଦ ଚନ୍ଦ୍ର ବେହେରାଙ୍କର ବହୁ ଦିନର ଅଭିଜ୍ଞତା ରହିଛି । ଆନନ୍ଦ ଚନ୍ଦ୍ର ବେହେରା ହେଉଛନ୍ତି ବାଲେଶ୍ବରର ବାସିନ୍ଦା । ସେଠାରେ ଉଭୟ ସିଭିଲ୍ ଏବଂ ଅପରାଧୀକ ମାମଲାରେ ଅଭ୍ୟାସ କରୁଥିଲେ। ଜଣେ ଓକିଲ ଭାବରେ ବହୁତ ଭଲ ଖ୍ୟାତି ଅର୍ଜନ କରଥିଲେ। ୨୦୦୪ରେ ଫାଷ୍ଟ ଟ୍ରାକ୍ ଜଜ୍ ଭାବରେ ନ୍ୟାୟପାଳିକାରେ ଯୋଗ ଦେଇଥିଲେ ଏବଂ ୨୦୧୩ରେ ଜିଲ୍ଲା ଜଜ୍ ଭାବେ ନିୟମିତ କ୍ୟାଡରରେ ନିଯୁକ୍ତ ହୋଇଥିଲେ। ସେ କଟକ, ଭୁବନେଶ୍ୱର, ସୁନ୍ଦରଗଡ, ରାଉରକେଲା, ଧର୍ମଗଡରେ ADJ ଥିଲେ। ଏହା ସହିତ ସେ ଜିଲ୍ଲା ଜଜ୍ ଭାବେ ଜଗତସିଂହପୁର ଏବଂ ବ୍ରହ୍ମପୁରରେ ନିଯୁକ୍ତ ହୋଇଥିଲେ। ଜୁଡିସିଆଲ ଅଫିସର ଭାବେ ବହୁତ ଅଭିଜ୍ଞ ଓ ଜଣେ ନ୍ୟାୟିକ ଅଧିକାରୀ ଭାବରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ।