ଘର ଲୋକଙ୍କୁ ନଜଣାଇ ଭଣଜାର ମୃତଦେହକୁ ପୋଡିଦେବା ଘଟଣାର ପର୍ଦାଫାସ୍, ଅଭିଯୁକ୍ତ ମାମୁଁକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍

ଆନନ୍ଦପୁର: ବନ୍ଯଜନ୍ତୁ ପାଇଁ ବାଡ କଡରେ ଇଲେକ୍ଟ୍ରିକ୍ ତାର ଝୁଲାଇଥିଲା ମାମୁଁ, ତାରରେ ଲାଗି ଚାଲିଗଲା ଭଣଜାର ଜୀବନ । ଦୋଷ ଲୁଚାଇବାକୁ ଯାଇ ଘର ଲୋକଙ୍କୁ ନଜଣାଇ ମୃତଦେହ ପୋଡି ପକାଇଥିଲା ମାମୁଁ । ଘଟଣା ପ୍ରଘଟପରେ ଅଭିଯୁକ୍ତ ମାମୁଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।

ଘସିପୁରା ଥାନା କେନ୍ଦୁଆ ଗ୍ରାମରେ ଗତ ୨୪ ତାରିଖ ରାତିରେ ନିଜ ନାବାଳକ ଭଣଜା ଶିବ ଚରଣ ନାୟକ ମୃତଦେହକୁ ଘର ଲୋକଙ୍କ ଅଗୋଚରରେ ପୋଡି ଦେଇଥିଲା ମାମୁଁ ଗୋପାଳ ପଲେଇ। ଏହି ଘଟଣା ଗାଁରେ ଆଲୋଚନା ହେବା ପରେ ଗ୍ରାମରକ୍ଷୀ ଠାରୁ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ମାମୁଁ ଗୋପାଳକୁ ଅଟକ ରଖିଥିଲା ।

ତେବେ କିଭଳି ଓ କେଉଁ ପରିସ୍ଥିତିରେ ଭଣଜା ଶିବର ମୃତ୍ଯୁ ଘଟିଥିଲା  ଏବଂ କାହିଁ କି ଗୋପାଳ କହାକୁ ନ ଜଣାଇ ଭଣଜାର ମୃତଦେହକୁ ପୋଡିଦେଲା ସେ ରହସ୍ଯରୁ ପରଦା ଉଠାଇଛନ୍ତି ଗୋପାଳ ଙ୍କ ମା ମୋତି ପଲେଇ। ଗୋପାଳ ନିଜ ଘରେ କୁକୁଡ଼ା ପାଳି ଥିବା ବେଳେ ବନ୍ଯ ଜନ୍ତୁଙ୍କ ଠାରୁ ସେମାନଙ୍କୁ ରକ୍ଷା  ଉଦେଷ୍ଯରେ ନିଜ ଘର ବାଡ ନିକଟରେ ଖୋଲା ଇଲେକ୍ଟ୍ରିକ୍ ତାର ଝୁଲାଇଥିଲା । ଘଟଣା ଦିନ ସନ୍ଧ୍ଯାରେ ଶିବ ଖେଳୁ ଖେଳୁ ଉକ୍ତ ତାର ସଂସ୍ପର୍ଷରେ ଆସିଯିବାରୁ ତାର ମୃତ୍ଯୁ ଘଟିଥିଲା ।

ନିଜ ଦୋଷ ଲୁଚାଇବାକୁ ଯାଇ ସେ ତରବରିଆ ଭାବେ ମୃତଦେହକୁ ପୋଡି ପକାଇଥିଲା । ଏହି ଘଟଣାରେ ପୋଲିସ୍ ଫରେନସିକ୍ ଟିମ୍ ର ସହାୟତା ନେଇ ଶବଦାହ ସ୍ଥାନରୁ ମୃତ ଦେହର ଦାନ୍ତ , ହାଡ ଆଦି ନମୁନା ସଂଗ୍ରହ କରିଛି ଟିମ୍ । ଅଟକ ଅଭିଯୁକ୍ତ ଗୋପାଳକୁ ଗିରଫ କରି କୋର୍ଟ ଚାଲାଣ କରିଛି ଘସିପୁରା ପୋଲିସ୍ । ସୂଚନା ଅନୁସାରେ ଗୋପାଳଙ୍କ ଭଉଣି ମିଞ୍ଜି ନାୟକ ନିଜ ସ୍ବାମୀଙ୍କ ସହ ମତଭେଦ ଯୋଗୁ ଗତ କିଛି ବର୍ଷ ହେବ ପୁଅ ଶିବକୁ ନେଇ ବାପ ଘରେ ରହୁଥିଲେ । ମାମୁଁ ଘରେ ଶିବର ପାଠପଢା ମଧ୍ଯ ଚାଲିଥିଲା ।