ଓଲଟପୁର ଏସଭି ନିରତାରର ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ(କେନ୍ୟୁଜ୍): କଟକ ଜିଲ୍ଲା ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିରତାର)ର ନୂତନ ୧୦୦ ଶଯ୍ୟା ବିଶିଷ୍ଟ ପୁନର୍ବାସ ଚିକିତ୍ସାଳୟ ଭବନ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜେ.ପି. ନଡ୍ଡାଙ୍କ କରକମଳରେ ଉଦଘାଟିତ ହୋଇଛି । ଏହି ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନଡ୍ଡାଙ୍କ କରକମଳରେ ଏହି ପୁନର୍ବାସ ଚିକିତ୍ସାଳୟ ଉଦଘାଟନ ହେବା ରାଜ୍ୟ ପାଇଁ ଗୌରବର ବିଷୟ । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଏସଭି ନିରତାର ନିରନ୍ତର ଭାବେ ଦିବ୍ୟାଙ୍ଗ ମାନଙ୍କୁ ଚିକିତ୍ସା ପ୍ରଦାନ କରୁଅଛି । ତେବେ ଆଗାମୀ ଦିନରେ ବିଭାଗୀୟ ମନ୍ତ୍ରଣାଳୟ ସହ ସମସ୍ତଙ୍କ ଉଦ୍ୟମରେ ଏସଭି ନିରତାରକୁ ଏକ ଅନ୍ତର୍ଜାତୀୟ ସଂସ୍ଥାରେ ପରିଣତ କରାଯିବ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଉଛି । ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଦିବ୍ୟାଙ୍ଗଙ୍କ ପରିଭାଷା ବଦଳାଇଛନ୍ତି । ମୋଦି ସରକାରରେ ଦିବ୍ୟାଙ୍ଗ ମାନଙ୍କୁ ଉଚିତ୍ ସମ୍ମାନ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ବିଶେଷ ଇଚ୍ଛା କାରଣରୁ ଦିବ୍ୟାଙ୍ଗଙ୍କ ପାଇଁ ସାଙ୍କେତିକ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପଦ୍ଧତିରେ ପାଠପଢ଼ାର ବ୍ୟବସ୍ଥା ସହ ଏକ ସମ୍ମାନଜନକ ଜୀବନ ପ୍ରଦାନ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଆମକୁ ମଧ୍ୟ ଏ ଦିଗରେ ଦାୟିତ୍ୱ ନେବାକୁ ହେବ । ବିଶେଷ ଭାବରେ ଦିବ୍ୟାଙ୍ଗ ଭାଇ ଭଉଣୀମାନେ କିଭଳି ଆଧୁନିକ ଟେକ୍ନୋଲୋଜିରେ ଯୋଡ଼ି ହେବେ, ସେ ଦିଗରେ ଆମେ ସମସ୍ତେ ଦାୟିତ୍ୱ ନେବା ଦରକାର । ଏହାବ୍ୟତିତ ଉଦଘାଟିତ ହୋଇଯାଇଥିବା ଏସଭି ନିରତାରକୁ ବିଭାଗୀୟ ମନ୍ତ୍ରଣାଳୟର ଦାୟିତ୍ୱ ଓ ଶିକ୍ଷା ମନ୍ତ୍ରଣାଳୟର ଗାଇଡଲାଇନ ଏବଂ ମାପଦଣ୍ଡ ଅନୁସାରେ ବିଶ୍ୱବିଦ୍ୟାଳୟରେ ପରିଣତ ପାଇଁ ପ୍ରଚେଷ୍ଟା କରାଯିବ ବୋଲି  ଧର୍ମେନ୍ଦ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.