ସରକାରୀ ଡାକ୍ତରଖାନା ପରିସରରୁ ଉଚ୍ଛେଦ ହେବ ୧୦୧ ଔଷଧ ଦୋକାନ

ସରକାରୀ ଡାକ୍ତରଖାନା ପରିସରରୁ ଉଚ୍ଛେଦ ହେବ ୧୦୧ ଔଷଧ ଦୋକାନ  । ୧୫ ଦିନ ଭିତରେ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜ ପରିସରରେ ଥିବା ମେଡିସିନ ଷ୍ଟୋରକୁ ହଟାଯିବ ।

ଭୁବନେଶ୍ୱର : ସରକାରୀ ଡାକ୍ତରଖାନା ପରିସରରୁ ଉଚ୍ଛେଦ ହେବ ୧୦୧ ଔଷଧ ଦୋକାନ  । ୧୫ ଦିନ ଭିତରେ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜ ପରିସରରେ ଥିବା ମେଡିସିନ ଷ୍ଟୋରକୁ ହଟାଯିବ । ଏଥିସହ ସେମାନଙ୍କଠାରୁ ଶେଷଥର ଜାରି ଲାଇସେନ୍ସ ବାବଦ ବକେୟା ପାଉଣା ମଧ୍ୟ ଆଦାୟ କରାଯିବ ।

ଏସଂପର୍କିତ ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏମକେସିଜି ତଥା ଭିମସାର ଅଧୀକ୍ଷକ ଏବଂ ୨୪ ଜିଲ୍ଲାର ସିଡିଏମଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ନିରାମୟ ଯୋଜନା ମାଧ୍ୟମରେ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି ।

ଏଥିପାଇଁ ସରକାରୀ ଡାକ୍ତରଖାନା ପରିସରରେ ନୂଆ ଘରୋଇ ମେଡିସିନ ଷ୍ଟୋର ନଖୋଲିବା ଓ ପୁରୁଣା ଔଷଧ ଦୋକାନର ଲାଇସେନ୍ସ ନବୀକରଣ ନ କରିବା ପାଇଁ ୨୦୧୫ ମସିହାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ହେଲେ ବର୍ଷ ବର୍ଷ ଧରି ଡାକ୍ତରଖାନା ପରିସରରେ ବ୍ୟବସାୟ କରୁଥିବା ଦୋକାନୀମାନେ ଏହାକୁ ବିରୋଧ କରିଥିଲେ ।

ଏପରିକି ଡାକ୍ତରଖାନା ପରିସରରୁ ଔଷଧ ଦୋକାନ ଉଚ୍ଛେଦକୁ ବିରୋଧ କରି ହାଇକୋର୍ଟରେ ୧୧୧ଟି ମାମଲା ରୁଜୁ ହୋଇଥିଲା । ଉଚ୍ଛେଦ ବିରୋଧରେ ରୁଜୁ ହୋଇଥିବା ମାମଲା ଉପରେ ଗତ ୧୯ ତାରିଖରେ ଅଦାଲତ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ବାରା ଉଭୟ ରୋଗୀ ଏବଂ ଔଷଧ ଦୋକାନ କର୍ମଚାରୀ ଅସୁବିଧାର ସମ୍ମୁଖୀନ ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଦୋକାନ କର୍ମଚାରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.