Below header

ଫସଲକୁ ପଶୁ ପକ୍ଷୀଙ୍କ ଦାଉରୁ ରକ୍ଷା କରିବା ପାଇଁ ଚାଷୀଙ୍କ ନିଆରା ବ୍ୟବସ୍ଥା, ଦେଖିଲେ ଖୁସି ହୋଇଯିବେ

ଗଛରେ ଝୁଲୁଛି ଗୋଟିଏ କାଚ ବୋତଲ ଆଉ ତା ସାଙ୍ଗରେ ଛୋଟ ପଥର ଖଣ୍ଡ ।

ବେଗୁନିଆ (କେନ୍ୟୁଜ୍‌) : ଗଛରେ ଝୁଲୁଛି ଗୋଟିଏ କାଚ ବୋତଲ ଆଉ ତା ସାଙ୍ଗରେ ଛୋଟ ପଥର ଖଣ୍ଡ । ପବନ ଦେଲେ ବୋତଲରେ ପିଟି ହେଉଛି ପଥର ଖଣ୍ଡ ଆଉ ସେଥିରୁ ଏ ସୁନ୍ଦର ଟୁଂଟାଂ ଶବ୍ଦ ବାହରୁଛି । ଚାଷ ଜମିରେ ଏଭଳି ଯୁଗାଡ଼ ନିଜେ ପ୍ରସ୍ତୁତ କରିଛନ୍ତି ଚାଷୀ । କାହିଁକି ନାଁ ଫସଲ ଖାଇବାକୁ ଆସୁଥିବା ପକ୍ଷୀଙ୍କୁ ଘଉଡ଼ାଇବାର ଇଏ ଏକଦମ ଦେଶୀ ଉପାୟ । ତେବେ ତା ସହିତ ସଂଗୀତର ମୂର୍ଚ୍ଛନା ସୃଷ୍ଟି କରୁଛି ଏହି ଦେଶୀ ଯୁଗାଡ଼ । ସେହିଭଳି ହାତୀ ଓ ବାରହାଙ୍କୁ ରୋକିବାକୁ ଫାର୍ମ ହାଉସ କଡ଼ରେ ଡ୍ରେନ୍‌ ଖୋଳା ଯାଇଛି । ଆଉ ଲାଗିଛି ସୋଲାର ତାରବାଡ଼ । ଫସଲ ନଷ୍ଟ କରୁଥିବା ପଶୁଙ୍କ ଦେହରେ ତାର ଲାଗିଲେ ସକ୍‌ ମାରିବ ଆଉ ସାଇରନ୍‌ ବାଜିବ । ତେବେ ଏହା ଜୀବନ ନେବ ନାହିଁ । ପୁଣି ମାଙ୍କଡ଼କୁ ଡରାଇବା ପାଇଁ ରହିଛି ଭିନ୍ନ ବ୍ୟବସ୍ଥା । କାରଣ ଫସଲ ବଞ୍ଚିଲେ ବଞ୍ଚିବ ଚାଷୀର ଜୀବନ ଜୀବିକା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ ଗୋବିନ୍ଦପୁର ପଞ୍ଚାୟତ ପରିଛଳ ଗାଁରେ ଚାଷୀମାନେ ଏମିତି ଭାବରେ ନିଜ ପରିବା ଓ ଫୁଲ ଚାଷକୁ ରକ୍ଷା କରୁଛନ୍ତି ।

ଗୁଜୁରାଣ ମେଣ୍ଟାଇବା ପାଇଁ ପରିଚ୍ଛଳ ଗାଁର ଚାଷୀ ଜମିରେ ଲଗାଇଛନ୍ତି ବାଇଗଣ, ଟମାଟୋ,ଲଙ୍କା,ଭେଣ୍ଡି,କାକୁଡି,ବିନ୍, ଝୁଡ଼ଙ୍ଗ,ମକ୍କା ସହିତ ଅନେକ ପ୍ରକାର ଶୀତ ଦିନିଆ ପନିପରିବା । ତା ସହିତ ବଜାର ଚାହିଦାକୁ ଦେଖି ଗେଣ୍ଡୁଫୁଲ ଚାଷ ବି କରିଛନ୍ତି । ଆମେ ଭେଟିଥିଲୁ ପରିଛଳ ଗାଁର ସକଳାନନ୍ଦ ପାତାଳସିଂହ ଙ୍କୁ । ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଏସବୁ ଚାଷ କରି ଅନ୍ୟମାନଙ୍କୁ ପ୍ରେରଣା ଦେଇଛନ୍ତି । ପୁଣି ନିଜର ଦୁଇ ଶିକ୍ଷିତ ପୁଅଙ୍କୁ ଏହି ପରିବା ଚାଷରେ ନିୟୋଜିତ କରି ଆଜି ବେଶ୍ ରୋଜଗାରକ୍ଷମ ହୋଇ ପାରିଛନ୍ତି । ତାଙ୍କୁ ଦେଖି ଗା:ର ଅନ୍ୟମାନେ ମଧ୍ୟ ପରିବା ଚାଷ କରୁଛନ୍ତି । ଗାଁ ଲୋକଙ୍କ ଉତ୍ସାହ ଦେଖି ଭୁବନେଶ୍ବର ସ୍ଥିତ ଓଡିଶା ବୈଷୟିକ କୃଷି ବିଶ୍ୱବିଦ୍ୟାଳୟ ଓୟୁଏଟି ସେମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ତେବେ ପରିଛଳ ଗାଁର ଏହି ଚାଷୀମାନଙ୍କ ଶତ୍ରୁ ପାଲଟିଛନ୍ତି ବନ୍ୟଜନ୍ତୁ ।

ଗାଁର ଚାରିପାଖ ଜଙ୍ଗଲରୁବିଭିନ୍ନ ସମୟରେ ହାତୀ,ବାରହା,ମାଙ୍କଡ଼ ସହିତ ଠେକୁଆ ଆସି ଫସଲ ନଷ୍ଟ କରୁଛନ୍ତି । ତେବେ ଏହାର ପ୍ରତିକାର ପାଇଁ ବନ ବିଭାଗ କିଛି କରୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେହିଭଳି ସ୍ଥାନୀୟ ବେଗୁନିଆ ଉଦ୍ୟାନ କୃଷି ବିଭାଗ ଠାରୁ କୌଣସି ପ୍ରକାର ସହୟତା ମିଳୁନଥିବା ସେମାନେ କହିଛନ୍ତି । ଉତ୍ସାହର ସହ ଚାଷ କରୁଥିବା ଚାଷୀକୁ ପ୍ରେରଣା ଦେବା ସହ ସହାୟତା ଯୋଗାଇବା ହେଉଛି ପ୍ରଶାସନର ଦାୟିତ୍ୱ । ତେଣୁ ଉଭୟ ବନ ବିଭାଗ ଏବଂ ଉଦ୍ୟାନ କୃଷି ବିଭାଗ ଏହି ଶସ୍ୟଶ୍ୟାମଳା ଗାଁଟିର ଅଭାବ ଅସୁବିଧା ଦୂର କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.