Below header

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ, କୋଲକାତାରୁ ଅଣାଯାଉଛି ତାଙ୍କ ମରଶରୀର

ଭୁବନେଶ୍ୱର(କେ ନ୍ୟୁଜ): ଶୁକ୍ରବାର ରାତିରେ  ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିବା ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି । କୋଲକାତାର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କୋଭିଡ୍‌ରେ ଆକ୍ରାନ୍ତ ହେବାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଇକ୍‌ମୋ ଚିକିତ୍ସା ପାଇଁ ଜୁନ୍‌ ୮ ତାରିଖରେ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସରେ ତାଙ୍କୁ କୋଲକାତା ନିଆଯାଇଥିଲା । ମୃତ୍ୟୁ ବେଳକୁ ୫୬ ବର୍ଷ ହୋଇଥିଲା । ମେ’ ୨୯ ତାରିଖରେ କଟକର ଅଶ୍ୱିନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ । ୧୯୬୫, ଅଗଷ୍ଟ ୨୯ ତାରିଖରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ ଦେବାଶିଷ ପାଣିଗ୍ରାହୀ ।

ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନତକୋତ୍ତର କରିଥିଲେ । ପରେ ଦିଲ୍ଲୀ ଜେଏନୟୁରେ ଏମଫିଲ ଓ ପିଏଚଡି କରିଥିଲେ । ୧୯୯୧ରେ ସେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ । କଟକ, ଭୁବନେଶ୍ୱର, ପୁରୀ, ଗଞ୍ଜାମ, କେନ୍ଦୁଝର ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ । ମିଳିଥିବା ଖବର ଅନୁଯାୟୀ କୋଲକାତାରୁ ତାଙ୍କ ମରଶରୀର ଅଣାଯାଉଛି । ଦେବାଶିଷଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଶୋକ ପ୍ରକାଶ କରିଛନ୍ତି ।  ‘ସେ ଜଣେ ଅନୁଭବୀ ଓ ଦକ୍ଷ ପୋଲିସ ପ୍ରଶାସକ ଥିଲେ’ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ସୃଜନ ଓ ସହୃଦୟତା ସ୍ୱଭାବର ଦେବାଶିଷ ପାଣିଗ୍ରାହୀ ଥିଲେ ବୋଲି କହିଛନ୍ତି ଓଏଏସ ସଂଘ ସଭାପତି ସରୋଜ ସାମଲ । କଟକରେ ତାଙ୍କ ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.