ସଂସ୍କୃତି, ପରମ୍ପରା ଏବଂ ସଂସ୍କାର ମଣିଷ ସମାଜ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ଯ । ଏସବୁର ବ୍ଯତିକ୍ରମ ଚିନ୍ତାଧାରା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ବିଶେଷ ଭାବେ ଆଜିର ଯୁବପିଢି ଏବଂ କୋମଳମତି ପିଲାଙ୍କ କ୍ଷେତ୍ରରେ ଏହାର କୁପରିମାଣ ବେଶି ଦେଖିବାକୁ ମିଳିଥାଏ । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ସଂସ୍କୃତି ଓ ମନୋରଞ୍ଜନ ନାମରେ ଗଞ୍ଜାମର ଗଳିକନ୍ଦିରେ ପରିବେଷଣ ହେଉଥିବା ପୌରାଣିକ ଯାତ୍ରା ଜରିଆରେ ।
ନିଦ୍ରା ଭଙ୍ଗ ପରେ ଉଠୁଛି କୁମ୍ଭକର୍ଣ୍ଣ । ବେକ ମୋଡ଼ି ଖାଉଛି ଜୀଅନ୍ତା କୁକୁଡ଼ା । ଏ ଦୃଶ୍ୟ ହେଉଛି ସତସତିକା । ପୁଣି ଲାଇଭ୍ । କୁମ୍ଭକର୍ଣ୍ଣ ଭୂମିକାରେ ଥିବା କଳାକାର ମଞ୍ଚ ଉପରେ ଜୀଅନ୍ତା କୁକୁଡା ହେଉ କି ଛେଳି କଡ ମଡ କରି ଚୋବାଇ ଖାଉଛନ୍ତି । ତାହାପୁଣି ପୁରାଣ ବିଷୟ ବସ୍ତୁ ଉପରେ ଆଧାରିତ ପୌରାଣିକ ଯାତ୍ରା ମଞ୍ଚରେ । ପିଲାଠୁ ବୁଢା, ସମସ୍ତ ଦର୍ଶକଙ୍କ ସାମ୍ନାରେ ଚାଲିଛି ଏଭଳି ବୀଭତ୍ସ କଳା ପ୍ରଦର୍ଶନୀ । ଏପରିକି ଜୀବନ୍ତ ଓ ବିଷଧର ସାପଙ୍କୁ ନେଇ ମଞ୍ଚ ଉପରେ ଖେଳ ପ୍ରଦର୍ଶନ କରିବା ସହ ସେମାନଙ୍କୁ ଚୋବାଇ ଖାଉଛନ୍ତି କଳାକାରମାନେ ।
ରାମାୟଣ ଓ ମହାଭାରତ ଭଳି ପୌରାଣିକ ନାଟକମାନଙ୍କରେ ଏଭଳି କିଛି ବର୍ଣ୍ଣନା ହୁଏତ ଥାଇ ପାରେ । ହେଲେ ଏସବୁକୁ କେବେବି ବାସ୍ତବରେ ଦର୍ଶାଯାଇ ନଥାଏ । ହେଲେ ଗଞ୍ଜାମର କିଛି ଅଞ୍ଚଳରେ ଏଭଳି ନାଟକ ମଞ୍ଚସ୍ଥ କରାଯାଉଛି । ଯେଉଁଠି ପୌରାଣିକ ଯାତ୍ରାମଞ୍ଚ ଆଡକୁ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ କରାଯାଉଛି କିଛି ଭିନ୍ନ କାରନାମା । ଏଭଳି ଦୁଃସାହସିକ କାର୍ଯ୍ୟ ଜରିଆରେ ଦର୍ଶକଙ୍କୁ ମନୋରଞ୍ଜନ ଦେବା ଆଳରେ ଚାଲିଛି ନାଟକ ପରିବେଷଣ । ଏମିତି ଲୋମହର୍ଷକ କାଣ୍ଡ କେବଳ ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି କରାଯାଉଛି ବୋଲି ନାଟକର ନିର୍ଦ୍ଦେଶକ କୁହନ୍ତି ।
ଅନ୍ଯପକ୍ଷରେ ପ୍ରାୟ ୧୦୦ଫୁଟ୍ ଉଚ୍ଚ ନଡିଆ ଗଛରୁ ଦଉଡି ସାହାଯ୍ୟରେ ରାମାୟଣର ହନୁମାନ ମଞ୍ଚକୁ ଆସିବା, ମଞ୍ଚ ଉପରେ ହନୁମାନ ଛାତିରେ ପଥର ଫଟାଇବା, ମୁଣ୍ଡରେ ପଥର ରଖି ହାତୁଡିରେ ପ୍ରହାର କରିବା, ବେକରେ ଶଗଡ ଚକକୁ ଘୂରାଇବା, ଖାଲି
ମଦ ବୋତଲ କାଚକୁ ଜଙ୍ଘରେ ପିଟି ଭାଙ୍ଗିବା, ଟ୍ୟୁବ୍ ଲାଇଟକୁ ଚୋବାଇ ଖାଇବା, ଛାତି ଉପରେ ବାଇକ୍ ଚଢାଇବା ଭଳି ବିଭିନ୍ନ ପ୍ରକାରର ବିପଦ ସଙ୍କୁଳ ଏବଂ ପ୍ରାଣଘାତକ କାର୍ଯ୍ଯର ପ୍ରଦର୍ଶନୀ କରୁଛନ୍ତି ଏହି କଳାକାର ମାନେ ।
ଅଭିନୟର କଳା ପ୍ରଦର୍ଶନ ପଛରେ ରହି ଯାଉଛି । ଏଭଳି ଦୁଃସାହସିକ ଖେଳକୁ ଦର୍ଶକ ମଧ୍ୟ ଦେଖିବାକୁ ଉତ୍ସୁକ । ହେଲେ ଏହି କଳାକାରମାନେ ଜାଣି ନାହାନ୍ତି ଯେ ଏଭଳି ବୀଭତ୍ସ କାଣ୍ଡ ବେଆଇନ୍ । ଏମିତିକି ଦୁଃସାହସିକ ଖେଳ ଦେଖାଇବା ପୂର୍ବରୁ ଅନେକ ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ । କାରଣ ଏଥିରେ ଜୀବନ ଯିବାର ଆଶଙ୍କା ରହିଥାଏ । ହେଲେ ଲାଗୁଛି ଏସବୁ ପ୍ରତି ଏମାନେ ସଜାଗ ନୁହନ୍ତି । ପେଟ ପାଟଣା ପାଇଁ ଏଭଳି ବୃତ୍ତିକୁ ଆଦରି ନେଇଛନ୍ତି କଳାକାରମାନେ ।