ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ଗୁରୁତର, ସଂଜ୍ଞାହୀନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କରଞ୍ଜିଆ(କେନ୍ୟୁଜ୍): ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରାମରା ଗ୍ରାମ ଦରଦରା ଛକରେ ଅଭାବନୀୟ ଘଟଣା। ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ଗୁରୁତର ହୋଇଥିବାର ଜଣାଯାଇଛି। ଗତକାଲି ବୁଧବାର ସନ୍ଧ୍ୟାରେ ଘଟିଛି ଏହି ଘଟଣା। ଗୁରୁତର ସ୍ତ୍ରୀଙ୍କୁ ଘଟଣାସ୍ଥଳରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଅଗ୍ନିଶମ ବିଭାଗ ଗାଡିରେ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟ କରଞ୍ଜିଆକୁ ସ୍ଥାନାନ୍ତର କରିଛନ୍ତି।
ଦରଦରା ସାହିର ଶୁଖିଆ ନାଏକ ଓ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପ୍ରମିଳା ଦୁଇ ଜଣ ଦରଦରା ଛକରେ ଥିବାବେଳେ, କୌଣସି କାରଣରୁ ସ୍ୱାମୀ ଶୁଖିଆ ଏକ ଠେଙ୍ଗାରେ ସ୍ତ୍ରୀ ପ୍ରମିଳାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ଯାହାଫଳରେ ସେ ରକ୍ତାକ୍ତ ଅବସ୍ଥାରେ ସଂଜ୍ଞାହୀନ ହୋଇ ପଡିରହିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା।