ଜଳ ପାଲଟିଛି କି ଜହର? ସହର ମୁହାଁ ଝାଡାବାନ୍ତି: ନବରଙ୍ଗପୁର ଗାଦବାଗୁଡାରେ ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ନବରଙ୍ଗପୁର(କେନ୍ୟୁଜ୍): କିଛି ଦିନର ବ୍ଯବଧାନ ପରେ ପୁଣି ଫେରିଛି ଝାଡାବାନ୍ତି। କିନ୍ତୁ ପ୍ରାୟତଃ ଝାଡାବାନ୍ତି ମଫସଲ ଗାଁ ମାନଙ୍କରେ ଦେଖା ଦେଉଥିବା ବେଳେ ଏଥରର ଚିତ୍ର ସମ୍ପୂର୍ଣ ଅଲଗା । ଗ୍ରାମାଞ୍ଚଳ ପରେ ଏବେ ସହରାଞ୍ଚଳରେ ବ୍ଯାପୁଛି ଝାଡାବାନ୍ତି। ଜଳ ପାଲଟୁଛି କି ଜହର? ଏ ପ୍ରଶ୍ନ ଏବେ ସ୍ଥାନୀୟ ଲୋକଙ୍କ ମନରେ। ସହର ମଧ୍ୟରେ ଗୋଟିଏ ୱାର୍ଡର ପ୍ରାୟତଃ ସମସ୍ତେ ଆକ୍ରାନ୍ତ ହୋଇଛନ୍ତି ଝାଡାବାନ୍ତିରେ।

ନବରଙ୍ଗପୁର ପୌରପାଳିକା ଅନ୍ତର୍ଗତ ୧୩ ନଂ ୱାର୍ଡ ଗାଦବାଗୁଡା ଠାରେ ଗତ ୨ ଦିନ ଠାରୁ ବ୍ଯାପିଛି ଝାଡାବାନ୍ତି । ଅଞ୍ଚଳ ବାସୀ କୌଣସି ଅଖାଦ୍ୟ କି ବାସୀ ଜିନିଷ ଖାଇ ନାହାନ୍ତି ତଥାପି ସାହିରେ ଜଣକ ପରେ ଜଣେ ଘର କୁ ଘର ପ୍ରାୟତଃ ୨୦ ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାର ନଜର ଆସିଛି। ଗୁରୁତର ୧୨ଜଣକୁ ମୁଖ୍ଯ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସାହି ମଧ୍ୟରେ ଥିବା ନଳକୂପ ଗୁଡିକ ନିୟମିତ ବିଶୋଧନ କରାଯାଉ ନଥିବା ବେଳେ ଜଳ ଯୋଗାଣ ପାଇପ ଗୁଡିକ ନାଳ ମଧ୍ୟରେ ରହିଥିବା ହେତୁ ପାଇପ ଫାଟି ନର୍ଦ୍ଦମାର ଦୂଷିତ ପାଣି ମିଶି ଘରକୁ ଯାଉଥିବା ବେଳେ ସେଇ ପାଣିକୁ ବ୍ଯବହାର କରିବା ଦ୍ୱାରା ଏଭଳି ପରିସ୍ଥିତି ଉପୁଜି ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ୱାର୍ଡରେ ଆକ୍ରାନ୍ତଙ୍କ ସଂଖ୍ଯ ବଢିବା ପରେ ସାହି ବାସିନ୍ଦାଙ୍କ ଅଭିଯୋଗ ପରେ ମେଡିକାଲ ଟିମ ପହଂଚି ସାହିକୁ ବିଶୋଧନ କରିବା ସହ ଘର ଘର ବୁଲି ପ୍ରାଥମିକ ଚିକିତ୍ସା କରିଛନ୍ତି। ଅତି ଗୁରୁତରଙ୍କୁ ମେଡିକାଲ ପଠାଇବାର ବ୍ଯବସ୍ଥା ମଧ୍ୟ କରାଯାଇଛି। ପାଣିକୁ ଫୁଟେଇ ପିଇବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ସ୍ବାସ୍ଥ୍ଯବିଭାଗ କର୍ମଚାରୀ। ତାସହିତ ପାଣିର ନମୁନା ସଂଗ୍ରହ ପାଇଁ ପଠାଯାଇଛି । ଯାଞ୍ଚ ପରେ ହିଁ ପ୍ରକୃତ କାରଣ ଜଣା ପଡିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ଯ ଅଧିକାରୀ।