Below header

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟ, ବିନା କୋଚିଂରେ ଓଏଏସ୍‌ ପରୀକ୍ଷାରେ ସଫଳତା ହାସଲ କଲେ ଆନନ୍ଦ

ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଆଗରେ ହାର ମାନିଛି ଘରର ଦାରିଦ୍ର୍ୟ । ଚାଷୀ ପୁଅ ହୋଇ ମଧ୍ୟ ବିନା କୋଚିଂରେ ଓଏଏସ୍‌ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଆନନ୍ଦ । ତୁଳସୀ ଦୁଇପତ୍ରରୁ ବାସିଲା ପରି ଛୋଟ ବେଳୁ ଆନନ୍ଦଙ୍କ ପାଠପଢା ନିଶା, ବାପା ମାଆକୁ ସ୍ୱପ୍ନ ଦେଇଥିଲା ଯେ ପୁଅ ବଡ଼ ଅଧିକାରୀ ହୋଇ ଲୋକଙ୍କ ସେବା କରିବ । ପୁଅ ମଧ୍ୟ ସେହି ଆଶା ନେଇ ଭଲ ପଢିବା ପରେ ଚାକିରିରେ ଥାଇ ମଧ୍ୟ ଓଏଏସ ପାଇଁ ପ୍ରସ୍ତୁତ ହୋଇଥିଲେ । ନିଜର ଦୃଢ ଇଚ୍ଛାଶକ୍ତି ଯୋଗୁ ସଫଳତା ପାଇଛନ୍ତି ଆନନ୍ଦ ।

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ପଡ଼ିଆପାଳ ଗ୍ରାମର ମାୟାଧର ପଲେଇଙ୍କ ପୁଅ ଆନନ୍ଦ ଚନ୍ଦ୍ର ପଲେଇ । ଓଏଏସ ପରୀକ୍ଷାରେ ସଫଳତା ପାଇ ନିଜ ଗାଁର ଗୌରବ ବଢ଼ାଇଛନ୍ତି ଆନନ୍ଦ । ବାପା ଜଣେ କ୍ଷୁଦ୍ର ଚାଷୀ ହୋଇଥିବା ବେଳେ ଅନେକ ଦୁଃଖ କଷ୍ଟ ଆସିଛି ତାଙ୍କ ଜୀବନରେ । ହେଲେ ପାଠପଢାରେ ନିଜ ପୁଅ ପ୍ରତି କେବେ ଅବହେଳା କରିନାହାନ୍ତି । ପୁଅର ପଢିବା ପ୍ରତି ଆଗ୍ରହକୁ ଦେଖି ତାକୁ ଅଧିକ ପଢାଇବା ପାଇଁ ନିଜ ଜମି ମଧ୍ୟ ବିକ୍ରି କରିଦେଇଥିଲେ ମାୟାଧର । ଆଉ ଆଜି ତାଙ୍କ ପରିଶ୍ରମର ଫଳ ମିଳିଛି । ମାୟାଧର ଏତେ ଖୁସି ଅଛନ୍ତି ଯେ କଥା କହିବା ସମୟରେ ଆାଖି ଛଳଛଳ ହେଇଯାଉଛି ଆନନ୍ଦାଶ୍ରୁରେ । ମାଆ ମଧ୍ୟ ନିଜ ପୁଅ ପାଇଁ ଗର୍ବିତ ।

ଆନନ୍ଦ ସ୍ଥାନୀୟ ବିଦ୍ୟାଳୟରେ ପାଠପଢା ଶେଷ କରିବା ପରେ ଭଦ୍ରକ କଲେଜରେ ପଢିଥିଲେ । ପରେ ବ୍ୟାଙ୍କରୁ ଲୋନ କରି ଏମବିଏ ପଢା ଶେଷ କରିବା ଠାରୁ ୭ବର୍ଷ ଧରି ଏଫସିଆଇରେ କାର୍ଯ୍ୟରତ । ଦିନରେ ଚାକିରି ଜୀବନ ଆଉ ରାତିରେ ପାଠପଢା । ଏତେ ପରେ ବି କେବେ ଥକି ପଡିନାହାନ୍ତି ଆନନ୍ଦ । କଠିନ ଅଧ୍ୟବସାୟ ଓ ଦୃଢଇଚ୍ଛା ଶକ୍ତି ହିଁ ଆଜି ତାଙ୍କୁ ସଫଳତା ଦେଇଛି ବୋଲି କହିଛନ୍ତି ଆନନ୍ଦ । ତେବେ ତାଙ୍କ ସଫଳତାରେ ଆନନ୍ଦିତ ହେବା ସହ ଏଭଳି ସୁଯୋଗ୍ୟ ସନ୍ତାନକୁ ପାଇ ଗର୍ବିତ ବୋଲି କହିଛନ୍ତି ପଡ଼ିଆପାଳ ଗାଁ ଲୋକେ । ଦୃଢ ଇଚ୍ଛା ଶକ୍ତି ଏବଂ ଏକାଗ୍ରତା ଥିଲେ ନିଶ୍ଚୟ ଭାବେ ସଫଳତା ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.