Below header

ପ୍ରେମିକ ସହ ବିବାହ କରାଇ ଦେବାକୁ ମା’ ସମଲେଶ୍ୱରୀଙ୍କୁ ଚିଠି ଲେଖିଲେ ପ୍ରେମିକା

ମୋ ପ୍ରେମକୁ ସଫଳ କରିଦିଅ ମା' । ତୁମେ ଚାହିଁଲେ ସବୁ ସମ୍ଭବ ହୋଇପାରିବ । ଚିଠିରେ ଏମିତି କିଛି ଲେଖି ମା' ସମଲେଶ୍ୱରୀଙ୍କ ହୁଣ୍ଡିରେ ପକାଇ ଦେଇ ଚାଲିଯାଇଥିଲେ ଜଣେ ଯୁବତୀ ।

ସମ୍ବଲପୁର(କେନ୍ୟୁଜ): ମା’ ମୋ ବିବାହ କରାଇଦିଅ । ମୁଁ ଯାହାକୁ ମୋ ମନ ଦେଇଛି ମୋ ମନର ମଣିଷକୁ ମୋ ଜୀବନ ସାଥୀ କରାଇ ଦିଅ । ମୋ ପ୍ରେମକୁ ସଫଳ କରିଦିଅ ମା’ । ତୁମେ ଚାହିଁଲେ ସବୁ ସମ୍ଭବ ହୋଇପାରିବ । ମୋ ବାପା ମା’ ଏବଂ ତାଙ୍କ ବାପା ମା’ ଯେପରି ରାଜି ହୋଇଯାଆନ୍ତୁ ।  ଏ ସବୁ କଥା ଶୁଣି କଣ ଭାବୁଛନ୍ତି? ଏହା କୌଣସି ଫିଲ୍ମ ବା ନାଟକର ସଂଳାପ ନୁହେଁ ଆଜ୍ଞା । ଏଇ ହେଉଛି ଗୋଟେ ଗୋଟେ ପ୍ରେମିକାର ମା’ ସମଲେଶ୍ୱରୀଙ୍କୁ ଗୁହାରୀ । ଓଡ଼ିଶାର ପ୍ରମୁଖ ପୀଠ ସମ୍ବଲପୁର ବାସିନୀ ମା’ ସମଲେଶ୍ୱରୀଙ୍କୁ ଜଣେ ଭକ୍ତର ଏଭଳି ଚିଠିରେ ଆକୁଳ ନିବେଦନ ଘଟଣା ଏବେ ସାମ୍ନକୁ ଆସିଛି ।

ଚାଲିଥିଲା ମା’ ସମଲେଶ୍ୱରୀଙ୍କ ହୁଣ୍ଡିରେ ଭକ୍ତମାନେ ଦାନ କରିଥିବା ଟଙ୍କା ଗଣତି । ଗଣତି ସମୟରେ ସେଥିରୁ ବାହାରିଲା ଏକ ପତ୍ର । ଯେଉଁ ପତ୍ରଟିରେ ନିଜ ପ୍ରେମକୁ ସଫଳ କରାଇ ଦେବା ପାଇଁ ମା’ଙ୍କୁ ପତ୍ର ଲେଖିଥିଲେ ଜଣେ ଯୁବତୀ । ସେଥିରେ ନିଜର ପ୍ରେମ କେମିତି ସଫଳ ହେବ ସେନେଇ ଯୁବତୀ ଜଣକ ପତ୍ର ଲେଖିଥିବା ଦେଖିବାକୁ ମିଳିଛି। ଯୁବତୀ ଜଣଙ୍କ ନାଁ ବର୍ଷା । ସେ ତାଙ୍କ ପ୍ରେମିକ କାହ୍ନା ପାଇଁ ଏହି ପତ୍ରଟି ଲେଖିଛନ୍ତି । ସେ ଲେଖିଛନ୍ତି ଯେ କାହ୍ନା ସହ ତାଙ୍କର ବାହାଘର ହେଇଯାଉ ଓ ଉଭୟେ ଏକା ସାଙ୍ଗରେ ବିବାହ ପରେ ମାଙ୍କ ଦର୍ଶନ ପାଇଁ ଏକାଠି ଆସିବେ । ଏହା ସହ ସେ କାହ୍ନାକୁ କେତେ ଭଲ ପାଆନ୍ତି ତାହା ବି ଉଲ୍ଲେଖ କରିଛନ୍ତି ପତ୍ରଟିରେ ।

ମା’ ସମଲେଶ୍ୱରୀଙ୍କ ପାଖକୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟେ । ଖାଲି ସ୍ଥାନୀୟ ଅଞ୍ଚଳ ନୁହେଁ, ବହୁ ଦୂରଦୁରାନ୍ତରୁ ଅନେକ ଭକ୍ତ ଆସିଥାନ୍ତି । ଭକ୍ତମାନେ ନିଜ ନିଜ ଢଙ୍ଗରେ ମା’ କୁ ଦୁଃଖ ଜଣାଇଥାନ୍ତି । କିନ୍ତୁ ମା’ଙ୍କ ନିକଟରେ ନିଜ ଅନ୍ତରର ବ୍ୟଥା ଓ ବେଦନା ଉଲ୍ଲେଖ ଥିବା ଚିଠି ପଠାଇବା ଏକ ନିଆରା ଭାବଧାରା ନିଶ୍ଚୟ । ମନ୍ଦିର ବେଢାରେ ରହିଥିବା ହୁଣ୍ଡି ଭିତରୁ ମିଳିଥିବା ଚିଠିରେ ଜଣେ ପ୍ରେମିକାର ବିକଳ ନିବେଦନ ବେଶ ବାରି ହୋଇ ପଡୁଛି । ମା’ ଭକ୍ତର ଡାକ ଶୁଣନ୍ତି । ଚିଠି ଲେଖିଥିବା ଯୁବତୀଙ୍କ ଦୁଃଖ ନିଶ୍ଚୟ ଶୁଣିବେ ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.