Below header

ଶୁଣିଲାନି ପୋଲିସ କି ଅବକାରୀ ବିଭାଗ, ତାତିଲେ ମହିଳା ପିଟିଲେ ମଦୁଆଙ୍କୁ

ଜୟପୁର (କେ ନ୍ୟୁଜ୍‌) : ମଦ ଆମ ପରିବାରକୁ ଉଜାଡ଼ି ଦେଲାଣି । ଏବେ ଆମେ ଆଉ ସହିବୁ ନାହିଁ । ମଦୁଆଙ୍କୁ ଓ ମଦ ବେପାରୀଙ୍କୁ ସାବାଡ୍ କରିବୁ । ଏଭଳି ପ୍ରତିଜ୍ଞା ନେଇ ମହିଳାମାନେ ଉଠାଇଛନ୍ତି ଠେଙ୍ଗା । ମଦୁଆଙ୍କୁ ପିଟିଛନ୍ତି ଓ ମଦ ସବୁ ନଷ୍ଟ କରିଛନ୍ତି ।
କୋରାପୁଟ ଜିଲ୍ଲାରେ ବେଧଡକ ଦେଶୀ ମଦ ବିକ୍ରି କରୁଛନ୍ତି ଦୋକାନୀ। ଆଜି କୋଟପାଡ଼ ମିରିଗୁଡା ଗ୍ରାମର ଶହ ଶହ ମହିଳା ଏବଂ ଯୁବକ ମିଶି ମଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ମିରିଗୁଡା ଗାଁରେ ଅନେକ ଦିନ ଧରି ଦେଶୀ ମଦ ବିକ୍ରିକୁ ବିରୋଧ କରି ଆସୁଥିଲେ ଗ୍ରାମବାସୀ । ତଥାପି ଅମାନିଆ ଖୁଲମ ଖୁଲ୍ଲା ମଦ ବିକ୍ର କରୁଥିଲେ। କୋରାପୁଟ ଜିଲ୍ଲାପାଳ, କୋଟପାଡ଼ ତହସିଲଦାରଙ୍କୁ ବାରମ୍ବାର ଗୁହାରି କରି ଶେଷରେ ନିଜେ ସବୁ ରଫାଦଫା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରାମର ଅନେକ ଘର ଏବଂ ଦୋକାନ ଉପରେ ଚଢ଼ାଉ କରି କିଛି ଦେଶୀ ମଦ ଏବଂ ପୋଚ ନଷ୍ଟ କରିଥିଲେ। ଶହ ଶହ ମହିଳା ହାତରେ ଠେଙ୍ଗା ଧରି ମଦ ବିକ୍ରି ହେଉଥିବା ଦୋକାନରେ ତାଲା ପକାଇ ଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ କୋଟପାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାଶୁଝା କରି ଦୋକାନୀଙ୍କ ନାମରେ ଏକ ମାମଲା ରୁଜୁ କରିବା ସହ ଥାନାକୁ ନେଇଥିଲେ। ପରେ ଉତ୍ତ୍ୟକ୍ତ ମହିଳା ଶାନ୍ତ ପଡ଼ିଥିଲେ।

MADA-4

ଗ୍ରାମବାସୀ କହିବା ଅନୁଯାୟୀ ମଦ ବିକ୍ରି ଯୋଗୁଁ ଗ୍ରାମର ଅନେକ ଯୁବ ଗୋଷ୍ଠୀ ଖରାପ ରାସ୍ତାରେ ଯାଉଛନ୍ତି । ଅନେକ ଲୋକେ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି। ଏମିତିକି ସ୍କୁଲ ଛାତ୍ର ମଧ୍ୟ ମଦ ପିଇବାକୁ ପଛାଉ ନାହାନ୍ତି। ଅନେକ ପରିବାରରେ ମଦକୁ ନେଇ କଳହ ଲାଗି ରହୁଛି। ମଦ ଯୋଗୁଁ ନିକଟରେ କୋଟପାଡ଼ ୧୩ ନମ୍ବର ୱାର୍ଡରେ ଜଣେ ମହିଳା ଦୁଇ ସନ୍ତାନକୁ ନେଇ କୂଅରେ ଡେଇଁ ଆତ୍ମହତ୍ୟା କରିଥିଲେ। ତେବେ ଜିଲ୍ଲାରେ ଏଭଳି ଖୁଲମ ଖୁଲ୍ଲା ମଦ ବିକ୍ରି ଚାଲିଛି କିନ୍ତୁ ପୋଲିସ ଏବଂ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.