Below header

୪ ଲୋକସଭା ପାଇଁ ୨୬ ପ୍ରାର୍ଥୀଙ୍କ ସରିଲା ପ୍ରଚାର

କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ଆସନ ପାଇଁ ସରିଲା ପ୍ରଚାର। ୧୧ରେ ଭୋଟିଂ। ୪ଟି ଲୋକସଭା ଆସନ ପାଇଁ ମୈଦାନରେ ଅଛନ୍ତି ୨୬ ପ୍ରାର୍ଥୀ। ବ୍ରହ୍ମପୁର ପାଇଁ ତିନି ପ୍ରମୁଖ ପ୍ରାର୍ଥୀ ବିଜେଡିର ଚନ୍ଦ୍ରଶେଖର ସାହୁ, ବିଜେପିର ଭୃଗୁ ବକ୍ସିପାତ୍ର ଓ ଭି. ଚନ୍ଦ୍ରଶେଖର ନାଇଡୁ। ବ୍ରହ୍ମପୁର ଲୋକସଭା ଆସନରେ ୨୦୦୯ ଓ ୨୦୧୪ରେ ବିଜେଡି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର କଂଗ୍ରେସର ଚନ୍ଦ୍ରଶେଖର ସାହୁଙ୍କୁ ହରାଇଥିଲେ। ୨୦୧୪ରେ ୧ ଲକ୍ଷ ୨୭ ହଜାର ଭୋଟରେ ହାରିଥିଲେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ। ୨୦୧୯ରେ କିନ୍ତୁ ଚନ୍ଦ୍ରଶେଖର ସାହୁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସରେ ପ୍ରାର୍ଥୀ ଅଛନ୍ତି ନୂଆ ଚନ୍ଦ୍ରଶେଖର, ଭି. ଚନ୍ଦ୍ରଶେଖର ନାଇଡୁ। ୨୦୧୪ରେ ବିଜେପି ପ୍ରାର୍ଥୀ ଥିବା ରାମଚନ୍ଦ୍ର ପଣ୍ଡା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ବିଜେପି ଏଠାରେ ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିଛି ।

କୋରାପୁଟ ଲୋକସଭାରେ ଦୁଇ ନବାଗତଙ୍କ ସହ ଜଣେ ଭେଟେରାନଙ୍କ ଲଢେଇ। ତିନି ପ୍ରମୁଖ ପ୍ରାର୍ଥୀ ହେଲେ, ବିଜେଡିର କୌଶଲ୍ୟା ହିକକା, ବିଜେପିର ଜୟରାମ ପାଙ୍ଗି ଓ କଂଗ୍ରେସର ସପ୍ତଗିରି ଉଲ୍ଲାକା। ଏଠାରେ ବିଜେଡି ନବାଗତା କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରିଛି। କୋରାପୁଟ ସାଂସଦ ଥିବା ଝିନ୍ନ ହିକକଙ୍କା ପତ୍ନୀ କୌଶଲ୍ୟା । କଂଗ୍ରେସର ମଧ୍ୟ ନୂଆ ମୁହଁ ସପ୍ତଗିରି ଉଲ୍ଲାକା। ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗୀ ବିଜେଡିରୁ ଆମଦାନୀ ହୋଇଥିବା ନେତା। ୨୦୦୯ରେ କୋରାପୁଟ ଲୋକସଭା ଆସନରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ ଜୟରାମ ପାଙ୍ଗୀ। ସେ ଏବେ ବିଜେପି ପ୍ରାର୍ଥୀ। ୨୦୧୪ରେ ବିଜେଡିର ଝିନ୍ନ ହିକକା ଏହି ଆସନକୁ ମାତ୍ର ୨୦ ହଜାର ଭୋଟରେ ଜିତିଥିଲେ। ହାରିଥିଲେ କଂଗ୍ରେସ ପ୍ରାର୍ଥୀ ଥିବା ଗିରିଧର ଗମାଙ୍ଗ। ଗିରିଧର ମଧ୍ୟ ବର୍ତ୍ତମାନ ବିଜେପିରେ ଅଛନ୍ତି।

ଝରିଗାଁ ବିଧାୟକ ତଥା ମନ୍ତ୍ରୀ ଥିବା ରମେଶ ଚନ୍ଦ୍ର ମାଝି ଏବେ ନବରଙ୍ଗପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ୨୦୧୪ରେ ଏଠାରୁ ବିଜେଡି ସାଂସଦ ଥିବା ବଳଭଦ୍ର ମାଝି ଏବେ ବିଜେପି ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଛନ୍ତି ପ୍ରଦୀପ ମାଝୀ। ୨୦୦୯ରେ ଏଠାରୁ ଜିତିଥିଲେ ପ୍ରଦୀପ ମାଝି। ୨୦୧୪ରେ ବିଜେଡିର ବଳଭଦ୍ର ମାଝିଙ୍କଠାରୁ ମାତ୍ର ୨ ହଜାର ଭୋଟରେ ହାରିଥିଲେ ପ୍ରଦୀପ ମାଝୀ। ପୁଣି ଏବେ ପ୍ରଦୀପ ମାଝି କଂଗ୍ରେସ ପ୍ରାର୍ଥୀ, ବଳଭଦ୍ର ଦଳ ବଦଳ କରିଛନ୍ତି, ଆଉ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ରମେଶ ମାଝିଙ୍କୁ ଆଗକୁ ଆଣିଛି।

କଳାହାଣ୍ଡି ଲୋକସଭା କ୍ଷେତ୍ରରେ ବିଜେଡିର ପ୍ରାର୍ଥୀ ଅଛନ୍ତି ପୁଷ୍ପେନ୍ଦ୍ର ସିଂହ ଦେଓ। ସେ ବିଜେଡି ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସ ପୁଣି କଳାହାଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି। ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ତଥା ନୂଆପଡ଼ା ବିଧାୟକ ବସନ୍ତ ପଣ୍ଡା। ୨୦୦୯ରେ ଏହି ଆସନରୁ ଜିତିଥିଲେ ଭକ୍ତଚରଣ ଦାସ। କିନ୍ତୁ ୨୦୧୪ରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ବାଜି ମାରିଥିଲେ ବିଜେଡିର ଅର୍କ କେଶରୀ ଦେଓ। ବିଜେଡିକୁ ମିଳିଥିଲା ୩,୭୦,୮୭୧ ଭୋଟ୍‌। ଦ୍ୱିତୀୟରେ ଥିଲା ବିଜେପି। ମିଳିଥିଲା ୩,୧୪,୫୨୪ ଭୋଟ୍‌ ଓ କଂଗ୍ରେସର ପ୍ରାର୍ଥୀଙ୍କୁ ମିଳିଥିଲା ୩,୦୭,୯୬୭ ଭୋଟ୍‌। ଏଥର ବିଜେଡି ଅର୍କକେଶରୀଙ୍କ ଟିକେଟ୍‌ କାଟି, ପୁଷ୍ପେନ୍ଦ୍ରଙ୍କୁ ପ୍ରାର୍ଥୀ କରିଛି।

କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର ୪ଟି ଯାକ ଲୋକସଭା ଆସନ ୨୦୧୪ରେ ବିଜେଡି ହାତରେ ଥିଲା। ବ୍ରହ୍ମପୁର, କୋରାପୁଟ ଓ ନବରଙ୍ଗପୁରରେ ଦ୍ୱିତୀୟ ସ୍ଥାନରେ ରହିଥିଲା କଂଗ୍ରେସ। କଳାହାଣ୍ଡିରେ ଦ୍ୱିତୀୟ ସ୍ଥାନରେ ରହିଥିଲା ବିଜେପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.