Below header

ଚତୁର୍ଥ ପର୍ଯ୍ୟାୟରେ ହେଭିୱେଟଙ୍କ ଲଢ଼େଇ ! ୪ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା, ବିଜେଡି ୟଙ୍ଗ୍‌ ବ୍ରିଗେଡଙ୍କ ଲିଟମସ୍‌ ଟେଷ୍ଟ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନାରେ ରାଜ୍ୟର ୪ ମନ୍ତ୍ରୀ। ଭୋଗରାଇରୁ ଅନନ୍ତ ଦାସ, କେନ୍ଦ୍ରାପଡ଼ାରୁ ଶଶିଭୂଷଣ ବେହେରା, ମାହାଙ୍ଗାରୁ ପ୍ରତାପ ଜେନା ଓ ଭଣ୍ଡାରୀପୋଖରୀରୁ ପ୍ରଫୁଲ୍ଲ ସାମଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍‌। ଭଣ୍ଡାରୀପୋଖରୀ ଆସନରେ ହେବ ବିଗ୍‌ ଫାଇଟ୍‌। ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟକ୍କର। ୫ଥର ବିଧାୟକ ପ୍ରଫୁଲ୍ଲ ସାମଲ ୧୯୯୦ରୁ ଲଗାତାର ଜିତି ଆସୁଛନ୍ତି। ତିନି ଥର ଭଦ୍ରକରୁ ଏବଂ ୨୦୦୯ ଓ ୨୦୧୪ରେ ଭଣ୍ଡାରୀପୋଖରୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କେନ୍ଦ୍ରାପଡ଼ା ବିଧାନସଭା ଦେଖିବ ହାଇଭୋଲଟେଜ୍‌ ଲଢ଼େଇ। ଏଠାରେ ଜନତା ନିର୍ଦ୍ଧାରଣ କରିବେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ରାଜନୈତିକ ଭାଗ୍ୟ। ତାଙ୍କର ଲଢ଼େଇ କଂଗ୍ରେସର ଗଣେଶ୍ୱର ବେହେରା ଓ ବିଜେପି ପ୍ରାର୍ଥୀ ସୁନାକର ବେହେରାଙ୍କ ସହ ହେଉଛି। ସେପଟେ ଭୋଗରାଇରେ ଅନନ୍ତ ଦାସଙ୍କ ସହ ରଣାଙ୍ଗନରେ ବିଜେପିର ଅଂଶୁମାନ ମହାନ୍ତି ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସ। ମାହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି ବିଜେପିରୁ ସାରଦା ପ୍ରଧାନ ଓ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ସାହୁ।

ଚତୁର୍ଥ ପର୍ଯ୍ୟାୟ ବିଜେଡିର ୟଙ୍ଗ୍‌ ବ୍ରିଗେଡ୍‌ ଓ ବହୁ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ହେବ ଲିଟମସ୍‌ ଟେଷ୍ଟ। ଯାଜପୁର ବିଧାନସଭାରୁ ପ୍ରଣବ ପ୍ରକାଶ ଦାସ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡ଼ାଇ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ ଓ ଧାମନଗରରୁ ରାଜେନ୍ଦ୍ର କୁମାର ଦାସ ଲଢୁଛନ୍ତି। ଏମାନଙ୍କ ସହ ଦୁଇ ରାଜ୍ୟସଭା ସାଂସଦ ସରୋଜୀନି ହେମ୍ବ୍ରମ୍‌ ଓ ପ୍ରତାପ ଦେବ ବି ନିଜ ଭାଗ୍ୟ ପରୀକ୍ଷା କରାଇବେ। ସରୋଜିନୀ ଲଢୁଛନ୍ତି ବାରିପଦା ଆସନରୁ। ପ୍ରତାପ ଦେବ ଆଳିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରତାପଙ୍କ ବିପକ୍ଷରେ ଅଛନ୍ତି କଂଗ୍ରେସର ବର୍ତ୍ତମାନ ବିଧାୟକ ଦେବେନ୍ଦ୍ର ଶର୍ମା। ସେହିପରି ରାଜନଗର ଆସନରେ ହୋଇପାରେ କଡ଼ା ମୁକାବିଲା। ମୈଦାନରେ ବିଜେଡିର ଧ୍ରୁବ ସାହୁ ଓ ବର୍ତ୍ତମାନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି।

ଚତୁର୍ଥ ପର୍ଯ୍ୟାୟରେ କିଛି ନୂଆ ଚେହେରା ପ୍ରଥମ ଥର ଭାଗ୍ୟ ପରୀକ୍ଷା କରାଇବେ। ବାଲେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ପ୍ରତ୍ୟକ୍ଷ ନିର୍ବାଚନରେ ପାଦ ଥାପିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ଭଦ୍ରକର ସଂସଦୀୟ କ୍ଷେତ୍ରରେ ନୂଆ ଚେହେରାଙ୍କ ମଧ୍ୟରେ ମୁକାବିଲା। ବିଜେଡି ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ, କଂଗ୍ରେସର ମଧୁମିତା ସେଠୀ ଓ ବିଜେପିର ଅଭିମନ୍ୟୁ ସେଠୀ ଲଢୁଛନ୍ତି। ବାସୁଦେବପୁରରୁ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ପାରାଦୀପରୁ ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ବି ପ୍ରଥମ ଥର ଭାଗ୍ୟ ପରୀକ୍ଷା କରାଇବେ।

ଏହି ପର୍ଯ୍ୟାୟରେ ଦଳ ବଦଳାଇଥିବା ହେଭିେଓ୍ଵଟ୍‌ ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ରଘୁନାଥ ମହାନ୍ତି, ପ୍ରକାଶ ବେହେରା, ବିଭୂ ପ୍ରସାଦ ତରାଇ, ରାଜକିଶୋର ଦାସ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରାଙ୍କ ଉପରେ ବି ସମସ୍ତଙ୍କ ନଜର ରହିବ। ଏମାନଙ୍କ ବ୍ୟତୀତ ବିଭିନ୍ନ ଦଳର ଆଉ କିଛି ହେଭିୱେଟଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବେ ଭୋଟର୍‌। ଏମାନଙ୍କ ଭିତରେ ଅଛନ୍ତି ପ୍ରମିଳା ମଲ୍ଲିକ, ସୁଦାମ ମାର୍ଣ୍ଡି, ଅମର ପ୍ରସାଦ ଶତପଥୀ, ବିଷ୍ଣ ଦାସ, ରବୀନ୍ଦ୍ର ଜେନା, ଅନୁଭବ ମହାନ୍ତି, ରାଜଶ୍ରୀ ମଲ୍ଲିକ, ପ୍ରତାପ ଷଡ଼ଙ୍ଗୀ, ମନମୋହନ ସାମଲ, ଧରଣୀଧର ନାୟକ, ଅନନ୍ତ ସେଠୀ, ଶରତ ରାଉତ ପ୍ରମୁଖ। ଏମାନଙ୍କ ଭିତରୁ କିଏ କେଉଁ ଆସନରେ ବାଜି ମାରିବେ, ମେ ୨୩ ତାରିଖ ପରେ ଜଣା ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.