କପି ରୋକିବା ପାଇଁ ‘ଆଣ୍ଟି-ଚିଟିଙ୍ଗ୍‌ ହେଲମେଟ୍‌’: ଦେଖନ୍ତୁ, କିଭଳି ଛାତ୍ରମାନଙ୍କ ମୁଣ୍ଡରେ ପିନ୍ଧାଇ ଦେଲେ କାର୍ଡବୋର୍ଡ ବକ୍ସ, ସୋସିଆଲ ମିଡିଆରେ ବିରୋଧ ଆରମ୍ଭ

ମେସ୍କିକୋର ଅଲ୍‌ ସେବିନିୟଲ କଲେଜରେ କପି ରୋକିବା ପାଇଁ ଏକ ଅଜବ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବା ଆରମ୍ଭ ହୋଇଯାଇଛି। କେହି କେହି ଏହାକୁ ଘୋର ବିରୋଧ କରିଛନ୍ତି। ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ କାର୍ଡବୋର୍ଡ ବକ୍ସ ପିନ୍ଧାଇ ଦିଆଯାଉଛି, ଯେପରି ସେମାନେ କପି ନ କରନ୍ତୁ। ମାମଲା ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଛି। ଏବେ ଏହାର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୟୁଜରମାନେ ଶିକ୍ଷା ବିଭାଗକୁ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

box2

ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ କଲେଜ ନିର୍ଦ୍ଦେଶକ ଲୁଇସ୍‌ ଜୁଆରେଜଙ୍କୁ ଏଥିପାଇଁ ଦାୟୀ କରାଯାଇଛି। ଲୋକଙ୍କ କହିବା ହେଲା, ଲୁଇସ୍‌ ଛାତ୍ରମାନଙ୍କୁ ପ୍ରତାଡ଼ିତ କରୁଛନ୍ତି ଏବଂ ମାନବ ଅଧିକାରକୁ ଉଲ୍ଲଂଘନ କରୁଛନ୍ତି। ଛାତ୍ରମାନଙ୍କ ଅଭିଭାବକ ମଧ୍ୟ ଏହି ଫଟୋଗୁଡ଼ିକୁ ସେୟାର କରିବାରେ ଲାଗିଛନ୍ତି।

ମାମଲାକୁ ନେଇ ଏକଜୁଟ ହୋଇଥିବା ଅଭିଭାବକମାନେ କହିଥିଲେ, କପି ରୋକିବା ପାଇଁ ଏହା ବହୁତ କଦର୍ଯ୍ୟ କାମ। ଆମେ ଏହାକୁ ବିରୋଧ କରୁଛୁ। ଏହି ନିଷ୍ପତ୍ତିକୁ ବଦଳାଇବା ପାଇଁ ଶିକ୍ଷା ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛୁ। ଫଟୋରେ ଦେଖାଯାଉଛି, ଛାତ୍ରମାନଙ୍କ ମୁଣ୍ଡରେ କାର୍ଡବୋର୍ଡ ବକ୍ସ ପିନ୍ଧାଯାଇଛି ଏବଂ ସେମାନେ ଅତି କଷ୍ଟରେ ପରୀକ୍ଷା ଦେଉଛନ୍ତି।

ଏହାସହ ପଢନ୍ତୁ: ୧୨ ବର୍ଷର ବାଳକ ପ୍ରସ୍ତୁତ କଲେ ‘ସ୍ମାର୍ଟ ଡଷ୍ଟବିନ୍‌’, ଆବର୍ଜନା ଭରିବା ପରେ ମ୍ୟୁନିସିପାଲିଟିକୁ ପଠାଇଥାଏ ମେସେଜ୍‌

ଫଟୋ ପଛରେ ନଜର ଆସୁଥିବା ଲୁଇସ୍‌ ଏ ବାବଦରେ ସଫେଇ ଦେଇ କହିଛନ୍ତି, ମୁଁ ପରୀକ୍ଷା ହଲରେ ପଯ୍ୟର୍ବେକ୍ଷକ ରୂପରେ ଉପସ୍ଥିତ ଥିଲି।  ନିୟମକୁ ଲାଗୁ କରିବା ପୂର୍ବରୁ ଏଥିପାଇଁ ଛାତ୍ରଛାତ୍ରୀଙ୍କଠାରୁ ସହମତି ମାଗିଥିଲି। କପି ରୋକିବା ପାଇଁ ଏଭଳି ନିଷ୍ପତ୍ତି ପ୍ରଥମ ଥର ହୋଇନାହିଁ। ୨୦୧୩ରେ ଥାଇଲ୍ୟାଣ୍ଡରେ ଛାତ୍ରମାନଙ୍କୁ ପରୀକ୍ଷା ସମୟରେ ପେପର ସିଟ୍‌ରେ ପ୍ରସ୍ତୁତ ଆଣ୍ଟି-ଚିଟିଙ୍ଗ୍‌ ହେଲମେଟ୍‌ ପିନ୍ଧାଇ ଦିଆଯାଇଥିଲା।

Leave A Reply

Your email address will not be published.