ଫେସ୍ବୁକ୍ ଆଣୁଛି ନୂଆ ଫିଚର, ଆଉ ଦିଶିବନି ଲାଇକ୍ ସଂଖ୍ୟା
ନୂଆଦିଲ୍ଲୀ: ଫେସ୍ବୁକ୍ର ଲୋକପ୍ରିୟତା ଦିନକୁ ଆକାଶ ଛୁଆଁ ହେବାରେ ଲାଗିଲାଣି। ଦେଶରେ ଏବେ ପ୍ରାୟ ୨୪ କୋଟି ଫେସ୍ବୁକ୍ ବ୍ୟବହାରକାରୀ ଅଛନ୍ତି। ଆଜିକାଲି ଲୋକମାନେ ପ୍ରତ୍ୟେକ ମୁହୂର୍ତ୍ତର ଫଟୋକୁ ଫେସ୍ବୁକ୍ରେ ସେୟାର କରି ସାଙ୍ଗମାନଙ୍କୁ ନିଜ ବିଷୟରେ ଅପଡେଟ୍ ଦେବାକୁ ପସନ୍ଦ କରୁଛନ୍ତି। ଅଧିକାଂଶ ଯୁବପିଢ଼ି ଏବେ ଘଣ୍ଟା ଘଣ୍ଟା ଫେସ୍ବୁକ୍ରେ ବିତାଉଥିବା ଦେଖିବାକୁ ମିଳୁଛି। ତେବେ ପ୍ରାୟ ସମସ୍ତେ ଫେସ୍ବୁକ୍ରେ ନିଜର କୌଣସି ଫଟୋ ବା ଭିଡିଓ ପୋଷ୍ଟ କରି କେତେ ଅଧିକ ଲାଇକ୍ ଓ କମେଣ୍ଟ ପାଉଛନ୍ତି ସେ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ବେଳେ ବେଳେ କିଛି ଲୋକ କମ୍ ଲାଇକ୍ ପାଇ ମାନସିକ ଦୁଃଶ୍ଚିନ୍ତାରେ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏବେ ଫେସ୍ବୁକ ୟୁଜର୍ସଙ୍କ ଲାଗି ବର୍ତ୍ତମାନ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଯେଉଁଥିରେ ୟୁଜର୍ସ ଚାହିଁଲେ ନିଜ ଲାଇକ୍ ସଂଖ୍ୟାକୁ ଗୋପନ ରଖିପାରିବେ।
ଏଥିସହ ପଢ଼ନ୍ତୁ: ଏହି ୫ ନୂଆ ଟେକ୍ନୋଲୋଜି ବଦଳାଇ ପାରେ ମନୁଷ୍ୟର ଭବିଷ୍ୟତ
ସୂଚନାନୁଯାୟୀ, ଏହି ଫିଚର ଲଞ୍ଚ ହେବା ପରେ ୟୁଜର୍ସଙ୍କ ନିକଟରେ ଲାଇକ କାଉଣ୍ଟକୁ ଗୋପନ ରଖିବା ଭଳି ସୁବିଧା ଉପଲବ୍ଧ ହେବ। କୌଣସି ଫଟୋ ବା ପୋଷ୍ଟରେ କେତେ ଲାଇକ୍ ମିଳିଛି, ନିଜେ ୟୁଜର ହିଁ କେବଳ ତାହା ଦେଖିପାରିବେ। ମାତ୍ର ଅନ୍ୟ ୟୁଜର ତାହା ଦେଖିପାରିବେ ନାହିଁ। ତେବେ ଫେସ୍ବୁକ୍ ତରଫରୁ ଏନେଇ ପରୀକ୍ଷା ଚାଲିଥିବା କୁହାଯାଇଛି। ଏହି ଫିଚର କେବେ ସାମିଲ କରାଯିବ ସେନେଇ କୌଣସି ସୂଚନା ମିଳିନାହିଁ।
ପୂର୍ବରୁ ଇନ୍ଷ୍ଟାଗ୍ରାମ୍ରେ ଏହି ଫିଚର ସାମିଲ କରାଯାଇଛି। ୬ଟି ଦେଶରେ ଏହି ଫିଚର କାର୍ଯ୍ୟକାରୀ ହୋଇସାରିଲାଣି। ଏହି ଫିଚରକୁ ନେଇ କମ୍ପାନୀ ତରଫରୁ କୁହାଯାଇଛି ଯେ, ଲାଇକ ସଂଖ୍ୟା ନ ଦିଶିବା ଦ୍ୱାରା ୟୁଜର୍ସଙ୍କ ଉପରେ କୌଣସି ମାନସିକ ଚାପ ରହିବନାହିଁ। କେତେକ ଫେସ୍ବୁକ୍ ବ୍ୟବହାରକାରୀ ପୋଷ୍ଟରେ କମ୍ ଲାଇକ୍ ଆସିବା ଯୋଗୁ ମାନସିକ ଦୁଃଶ୍ଚିନ୍ତା ଦେଇ ଗତି କରିଥାନ୍ତି। ସେମାନଙ୍କ ପାଇଁ ଏହି ନୂଆ ଫିଚର ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଫେସବୁକ୍ କହିଛି।