Below header

ମଶାଣିରୁ ଝିଅର ଅଧାପୋଡ଼ା ହାତ ନେଇ ଥାନାରେ ପହଞ୍ଚିଲେ ବାପା

ମହିଳାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସରକାର ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ନାରୀ ନିର୍ଯାତନା ଥମିବାର ନାଁ ନେଉନି। ପ୍ରତିଦିନ କନ୍ୟା ଭ୍ରୁଣ ହତ୍ୟା, ଯୌତୁକଜନିତ ହତ୍ୟା, ବଳାତ୍କାର ଆଦି ଘଟଣା ଯେମିତି ସାଧାରଣ କଥା ପାଲଟିଛି। ତେବେ ଏକ ଯୌତୁକ ନିର୍ଯାତନା ମାମଲାରେ ବଧୂକୁ ହତ୍ୟା କରି ପୋଡ଼ିବା ବେଳେ କନ୍ୟାର ପିତା ପହଞ୍ଚି ଝିଅର ଅଧାପୋଡ଼ା ହାତ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାରରେ।

ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ମଙ୍ଗଳବାର ରାତିରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ନେଇ କନ୍ୟାର ପିତା ରାମନାଥ ରାମ ଅଭିଯୋଗ କରିଛନ୍ତି। ଝିଅକୁ ମାରି ଶ୍ମଶାନରେ ଶବ ଦାହ କରିବା ବେଳେ ରାମନାଥ ପହଞ୍ଚି ବିରୋଧ କରିବାରୁ ଶ୍ୱଶୁର ଘର ଲୋକେ ତାଙ୍କୁ ମଧ୍ୟ ମାରପିଟ୍‌ କରିଥିବା ସେ ଅଭିଯୋଗ କରିଛନ୍ତି। ଛକାପଞ୍ଝା ମଧ୍ୟରେ ସେ ଜୁଇରୁ ଝିଅର ଅଧାପୋଡ଼ା ହାତ ଆଣି ପରୀକ୍ଷା କରି ହତ୍ୟାର କାରଣ ଖୋଜିବାକୁ ପୋଲିସକୁ ଅନୁରୋଧ କରିଛନ୍ତି। ଏନେଇ ବୁଧବାର ଥାନାଧିକାରୀ ରଣଧୀର କୁମାର ଭଟ୍ଟ ସୂଚନା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଛି ଖୁବ୍‌ଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ ବୋଲି ଭଟ୍ଟ କହିଛନ୍ତି।

ଏହାସହ ପଢନ୍ତୁ: ପତ୍ନୀଙ୍କ ଦୁର୍ଗା ରୂପ, ସ୍ୱାମୀ ଓ ପ୍ରେମିକା ନିର୍ଧୁମ ଛେଚିଲେ

ରାମନାଥଙ୍କ ଅଭିଯୋଗ ଅନୁଯାୟୀ, ୧୦ ବର୍ଷ ତଳେ ସେ ନିଜ ଝିଅ ସଂଗୀତାଙ୍କ ବିବାହ ସୁଅରଛାପ ଗ୍ରାମନିବାସୀ ଭୁଟକୁନ ରାମଙ୍କ ଧୁମ୍‌ଧାମ୍‌ରେ କରିଥିଲେ। ସେମାନଙ୍କର ଆଠ ବର୍ଷ ଓ ସାତ ବର୍ଷର ଦୁଇଟି ଝିଅ ମଧ୍ୟ ଅଛନ୍ତି। ମାତ୍ର ଶ୍ୱଶୁର ଘର ଲୋକେ ସବୁବେଳେ ସଙ୍ଗୀତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ରାମନାଥ କହିଛନ୍ତି। ମଙ୍ଗଳବାର ରାତିରେ ସଙ୍ଗୀତାଙ୍କୁ ତାଙ୍କ ସ୍ୱାମୀ, ଦିଅର ସାହେବ, ସଞ୍ଜିତ, ଦୀପୁ ଓ ଶ୍ୱଶୁର ମିଶି ହତ୍ୟା କରିଥିବା ଜାଣିବା ପରେ ସେ ସୁଅରଛାପ ଗାଁସ୍ଥିତ ଶ୍ମଶାନରେ ପହଞ୍ଚିଥିଲେ। ସେଠାରେ ଶବ ଜଳାଇବାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଝିଅର ଶ୍ୱଶୁର ଘର ଲୋକ ମାଡ଼ ମାରିଥିବା ରାମନାଥ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.