ଭୁବନେଶ୍ବର(କେନ୍ୟୁଜ୍): କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସେସ୍ ବା କିସରେ ଭବିଷ୍ୟତ ଅଲିମ୍ପିଆନ୍ମାନେ ଅଛନ୍ତି। କିସର ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଅଲିମ୍ପିକରେ ଅଂଶଗ୍ରହଣ କରି ଦେଶକୁ ଗୌରବାନ୍ଵିତ କରିପାରିବେ। ଆସନ୍ତା ୨୦୨୦ ଟୋକିଓ ଅଲିମ୍ପିକ କିମ୍ବା ପରବର୍ତ୍ତୀ ଅଲିମ୍ପିକଗୁଡ଼ିକରେ ଭାରତୀୟ କ୍ରୀଡ଼ାବିତମାନେ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିବା ଉପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ଜନଜାତିବର୍ଗର ଛାତ୍ରଛାତ୍ରୀମାନେ ଅଲିମ୍ପିକରେ ଭଲ ପ୍ରଦର୍ଶନ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ। ସେ ଆଜି କିଟ୍ ଓ କିସ୍ ପରିଦର୍ଶନରେ ଆସି କିଟ୍ର ବିଭିନ୍ନ କ୍ୟାମ୍ପସ ବୁଲି ଦେଖିବା ସହ କିସ୍ର ବିଭିନ୍ନ ୟୁନିଟ୍ ବୁଲି ଦେଖିଥିଲେ। ଏହି ଅବସରରେ କିସର ୨୫ ହଜାର ୫ଶହ ଛାତ୍ରଛାତ୍ରୀଙ୍କ ସହ ବହୁ ମସୟ ବିତାଇଥିଲେ।
କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କହିଥିଲେ, ମୁଁ ଅନେକ ଥର ଓଡ଼ିଶା ଆସିଛି। ମାତ୍ର ଆଜି କିସ ପରିଦର୍ଶନରେ ଆସି ପ୍ରକୃତ ଓଡ଼ିଶାକୁ ଦେଖି ପାରିଲି। କିସ୍ ପରିଦର୍ଶନ କରିବା ପରେ ତାଙ୍କ ଭିତରେ ଏକ ସ୍ୱତନ୍ତ୍ର ଭାବନା ସୃଷ୍ଟି ହୋଇଛି ବୋଲି କହିଛନ୍ତି କିରଣ ରିଜିଜୁ। ସେ ଆହୁରି କହିଥିଲେ, ଆମେ ବିଭିନ୍ନ ରାଜ୍ୟରୁ ଆସିଥିଲେ ବି ଆମର ବିଚାର ଏକ ଓ ସମସ୍ତେ ଭାରତୀୟ। ଏଠିକାର ପରମ୍ପରା ଉଚ୍ଚ କୋଟୀର। କେନ୍ଦ୍ର ମନ୍ତ୍ରୀ କହିଥିଲେ, ଛାତ୍ରଛାତ୍ରୀମାନେ ଶିକ୍ଷା ସହ କ୍ରୀଡ଼ା ଉପରେ ଗୁରୁତ୍ୱ ଦେବା ଉଚିତ। ଜନଜାତି ଛାତ୍ରଛାତ୍ରୀମାନେ ଦେଶ ଗଠନ କରିବା ପାଇଁ ଆଗେଇ ଆସିବା ଦରକାର। କିସରେ ଛାତ୍ରଛାତ୍ରୀଙ୍କ ମୁହଁରେ ଯେଉଁ ହସ ଦେଖାଦେଇଛି ସେହି ହସ ହେଉଛି ଭାରତୀୟ ସାମର୍ଥ୍ୟ। କ୍ରୀଡ଼ା ଉପରେ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ଅଧିକ ଗୁରୁତ୍ୱ ଦେବା ଉଚିତ ।
ଅଲିମ୍ପିକରେ ଜନଜାତି ଛାତ୍ରଛାତ୍ରୀଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱ ବହନ କରିବ। କାରଣ ସେମାନଙ୍କ ମଧ୍ୟରେ ପ୍ରକୃତ ପ୍ରତିଭା ରହିଛି। ଭାରତର ଗ୍ରାମାଞ୍ଚଳରେ ଲୁକକାୟିତ ଥିବା ଏସବୁ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାକୁ ପଡ଼ିବ ବୋଲି କହିଛନ୍ତି କିରଣ ରିଜିଜୁ। କ୍ୟାମ୍ପସ ନିକଟରେ ତାଙ୍କୁ ସ୍ୱାଗତ କରିଥିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ପାରମ୍ପରିକ ନୃତ୍ୟଗୀତରେ ତାଙ୍କୁ ସ୍ୱାଗତ କରାଯାଇଥିଲା। କିସ୍ର କ୍ରୀଡ଼ା ଭିତ୍ତିଭୂମି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦୀର୍ଘ ୨୫ ବର୍ଷର ଉଦ୍ୟମ ଯୋଗୁ ଏଭଳି ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ହୋଇ ପାରିଥିବାରୁ ଡକ୍ଟର ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ।