କରୋନା ଭାଇରସକୁ ହରାଇବା ପାଇଁ ସାରା ଦୁନିଆର ଡାକ୍ତର୍ ଓ ନର୍ସିଂ ଷ୍ଟାଫ୍ ମାନେ ଏବେ ଦିନରାତି ଏକ କରି ଦେଇଛନ୍ତି । ଏହି ମାରାତ୍ମକ ଭାଇରସ୍ ଠାରୁ ରୋଗୀ ମାନଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ନିଜ ପରିବାରକୁ ମଧ୍ଯ ଭୁଲିଯାଇଛନ୍ତି । ଏହାସହିତ କାମର ବୋଝରେ ସେମାନେ ବେଳେବେଳେ ଅବସାଦଗ୍ରସ୍ତ ମଧ୍ଯ ହୋଇ ପଡୁଛନ୍ତି । ତେବେ ଏହି ଅବସାଦକୁ ଦୂର କରିବା ପାଇଁ ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ମଧ୍ଯ ଗ୍ରହଣ କରାଯାଉଛି । ନିକଟରେ ଆମେରିକାର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ଜଣେ ଡାକ୍ତର୍ ଏକ କୁକୁର ସହ ବସିଛନ୍ତି । ତେବେ ଏହି କୁକୁର କୌଣସି ସାଧାରଣ କୁକୁର ନୂହେଁ । ଏହି କୁକୁର ଜରିଆରେ ଡାକ୍ତରମାନଙ୍କୁ ଥେରାପି ଯୋଗାଇ ଦିଆଯାଉଛି ।
ଭାଇରାଲ୍ ଫଟୋରେ ଦେଖିବାକୁ ମିଳିଛି ଯେ ଏକ କୁକୁର ଆଜିକାଲି ଆମେରିକାର ସେହି ଡାକ୍ତରମାନଙ୍କୁ ସାହାଯ୍ୟ କରୁଛି ଯେଉଁମାନେ କରୋନା ରୋଗୀଙ୍କର ଚିକିତ୍ସା କରୁଛନ୍ତି । ତେବେ ଏହି କୁକୁରର ନାମ ହେଉଛି ୱାଇନ୍ । ଏହି କୁକୁରଟି ପ୍ରତିଦିନ ଡାକ୍ତରମାନଙ୍କ ସହିତ କିଛି ସମୟ ବିତାଇବା ପାଇଁ ସେଠାକୁ ଯାଇଥାଏ । ଯେତେବେଳେ ଡାକ୍ତରମାନେ ବ୍ରେକରେ ଥାଆନ୍ତି ସେମାନେ ୱାଇନ୍ ସହିତ ଖୁବ୍ ମସ୍ତି କରନ୍ତି । ଏପରି ଅବସାଦଗ୍ରସ୍ତ ମାହୋଲରେ ଡାକ୍ତରମାନେ କୁକୁର ସହିତ ମସ୍ତି କରି ଟିକିଏ ଖୁସି ଅନୁଭବ କରନ୍ତି । ତେବେ ଅବସାଦରୁ ମୁକ୍ତି ପାଇବା ପାଇଁ ଡଗ୍ ଥେରାପି ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
ସୂଚନା ଅନୁଯାୟୀ ଆମେରିକା ଓ ବ୍ରିଟେନ୍ ଭଳି ଦେଶରେ ଏହି ଥେରାପି ବହୁତ୍ ଲୋକପ୍ରିୟ । କେବଳ ସେତିକି ନୂହେଁ ଆମେରିକାରେ ଡାକ୍ତର ମାନଙ୍କ ଅବସାଦ ଦୂର କରିବା ନିମନ୍ତେ ତାଙ୍କୁ ମ୍ୟୁଜିକ୍ ସିଷ୍ଟମ ମଧ୍ଯ ଯୋଗାଇ ଦିଆଯାଇଛି । ତାସହିତ ମେଡ଼ିଟେସନ୍ ପାଇଁ ଏକ କମ ଆଲୋକ ବିଶିଷ୍ଟ କୋଠାରୀ ମଧ୍ଯ ଯୋଗାଇ ଦିଆଯାଇଛି ।