ସମଲିଙ୍ଗୀ ବିବାହ ପାଇଁ ଥାନାରେ ଜିଦ୍ କରି ବସିଲେ ଯୁବତୀ

ସମଲିଙ୍ଗୀ ବିବାହ ପାଇଁ ସକାଳୁ ରାତି ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନାରେ ଅଡି ବସିଥିବା ଜନୈକା ଯୁବତୀ ଶେଷରେ ନିରାଶ ହୋଇ ଥାନାରୁ ଫେରିଛନ୍ତି।”ସାଥୀ ପ୍ରେମିକା ଯୁବତୀକୁ ତାର ବାପ ମା’ ପରିବାର ଲୋକେ ଘରେ ଅଟକାଇ ରଖିଛନ୍ତି। ଆମକୁ ମିଳାମିଶାର ସୁଯୋଗ ଦେଉ ନାହାନ୍ତି। ଆମେ ପରସ୍ପରକୁ ବିବାହ କରିବାକୁ ପ୍ରତିଶୃତିବଦ୍ଧ। ତାକୁ ଥାନାକୁ ଅଣାଯାଇ ମୋ ସହ ମୁହାଁମୁହିଁ କରାଯାଉ।” ଏମିତି ଅଭିଯୋଗ ଉଠାଇ ଆଳି ଥାନାରେ ଆଜି ସକାଳୁ ଅଡି ବସିଥିଲା ପଟ୍ଟାମୁଣ୍ଡାଇ ଥାନା ବାଲିପାଟଣା ଗ୍ରାମର ଜନୈକା ୨୮ ବର୍ଷିୟା ଯୁବତୀ (ଜାନକୀ)। ପୋଲିସ ଯେତେ ବୁଝାଇବା ପରେ ମଧ୍ୟ ଜାନକୀ ଥାନାରୁ ହଟି ନଥିଲେ। ତେବେ ସଂପୃକ୍ତ ଯୁବତୀଙ୍କ ଜିଦ୍ ପରେ ପୋଲିସ ଆଳି ଧୋୟାଞ୍ଚଳର ସଂପୃକ୍ତ ଯୁବତୀଙ୍କୁ ଥାନାକୁ ଡକାଇଥିଲେ। ନିଜର ପରିବାର ସଦସ୍ୟ ସହିତ ସାଥି ଯୁବତୀ ଥାନାକୁ ଆସି ବିବାହ ପ୍ରସ୍ତାବରେ ନାରାଜ ହୋଇଥିଲେ। ଏହି ଘଟଣା ପରେ ସଂପୃକ୍ତ ଯୁବତୀ କହିଛନ୍ତି, ଆଳି ଧୋୟାଞ୍ଚଳର ଏଇ ଯୁବତୀଙ୍କ ସହିତ ତାଙ୍କର ଦୀର୍ଘ ୯ବର୍ଷ ହେଲା ନିବିଡ ସମ୍ପର୍କ ରହିଛି।

ସୂଚନା ମୁତାବକ ଆଳିର ଏଇ ଯୁବତୀଙ୍କ ସମ୍ପର୍କୀୟଙ୍କ ଘରେ ଭଡାରେ ରହୁଥିଲେ। ସେହିଠାରୁ ଉଭୟଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ଏବେ ଦୁଇ ଯୁବତୀ ଲୁଧିଆନାରେ ଚାକିରୀ କରୁଛନ୍ତି। ଏଥିସହ ଯୁବତୀ ଜଣକ କହିଛନ୍ତି, ମୋ ସହିତ ସାଥୀ ଯୁବତୀଙ୍କର ବହୁ ଗୋପନୀୟ ସମ୍ପର୍କର ଫଟୋ ଓ ଭିଡିଓ ମଧ୍ଯ ରହିଛି। ନ୍ୟାୟ ନପାଇବାଯାଏ ମୁଁ ଛାଡିବି ନାହିଁ ବୋଲି କହି ଜାନକୀ ରାତିରେ ଥାନାରୁ ଫେରିଯାଇଛନ୍ତି। ବର୍ତ୍ତମାନ ଏହି ଘଟଣାକୁ ନେଇ ଅଞ୍ଚଳବ୍ୟାପି ଚର୍ଚ୍ଚା ଲାଗିରହିଛି।

Leave A Reply

Your email address will not be published.