ଅନନ୍ଦପୁର(କେନ୍ୟୁଜ୍): ଘଷିପୁରା ଥାନା ସଟତିରା ଗାଁରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷରୁ୭ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ୩ ଜଣ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୪ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉଭୟ ପକ୍ଷରୁ ଘଷିପୁରା ଥାନାରେ ମାମଲା ହୋଇଥିବା ବେଳେ ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଗତକାଲି ରାତିର ଏହି ଘଟଣାକୁ ନେଇ ଉଭୟ ଉଭୟଙ୍କୁ ଦୋଷାରୋପ କରିଛନ୍ତି। ମିଳିଥିବା ସୂଚନା ମୁତାବକ ପ୍ରାୟ ଏକ ମାସ ତଳେ ଗାଁର ସଞ୍ଜୟ ଅମାନ୍ତଙ୍କ ସମ୍ପର୍କୀୟ ଭଉଣୀ ରୁକ୍ମଣୀକୁ ଅଦ୍ୱୈତ ବେହେରାଙ୍କ ପୁଅ ହେମନ୍ତ କମେଣ୍ଟ କରିଥିଲା। ପରେ ଏହି ଘଟଣାକୁ ନେଇ ଗାଁରେ ବୈଠକ ବସି ଘଟଣାର ସମାଧାନ କରାଯାଇଥିଲା। ହେଲେ ଦୁଇ ଦିନ ତଳେ ପୁଣି ଥରେ ବେହେରା ପରିବାରର ମହିଳା ମାନେ ରୁକ୍ମଣୀକୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହି କାରଣ କୁ ନେଇ ଗତକାଲି ରାତିରେ ପ୍ରଥମେ ଉଭୟ ପରିବାର ମଧ୍ୟରେ କଥା କଟାକଟି ଓ ଉଭୟେ ଉଭୟେଙ୍କୁ ଆକ୍ରମଣ କରିଥିବା ଜଣାଯାଇଛି।