ବ୍ରହ୍ମପୁର: କରୋନାକୁ ନେଇ ଚାରିଆଡେ କୋକୁଆ ଭୟ । ପରିସ୍ଥିତି ଏବେ ଅସମ୍ଭାଳ । ପେଟକୁ ଦାନା ମୁଠାଏ ପାଇଁ ଏବେ ହନ୍ତସନ୍ତ ହେଲେଣି ଲୋକେ। ଗାଁଠୁ ନେଇ ସଂସଦ ସବୁଠି କରୋନାକୁ ନେଇ ଚର୍ଚ୍ଚା । କିନ୍ତୁ ଏମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ଯେଉଁଠି ନା ଅଛି କରୋନାକୁ ନେଇ ଭୟ ନା ସମାଜ ପ୍ରତି ନିଜର କର୍ତ୍ତବ୍ଯ । ଖୁଲମ ଖୁଲା ସରକାରଙ୍କର ସବୁ ନିୟମକୁ ଅମାନ୍ଯ କରାଯାଇଛି ।
ବାଜା ସାଙ୍ଗକୁ ଭଳିକି ଭଳି ରଙ୍ଗ ବେରଙ୍ଗର ଲାଇଟ୍ । ପୁରା ଜମୁଛି ବରଯାତ୍ରୀ । ଖାଲି ବରଯାତ୍ରୀ ନୁହଁନ୍ତି ବର ବି ଓପନ୍ କାର୍ ରେ ଠିଆ ହୋଇ ତାଳରେ ତାଳ ମିଶାଇ ନାଚି ଚାଲିଛନ୍ତି । ଏସବୁ ଠିକ୍ ଅଛି ସତ କିନ୍ତୁ, ଏଭଳି ପରିସ୍ଥିତିରେ କଣ ଏଇଟା ଶୋଭାପାଉଛି? ଥରେ ଦେଖିଲେ ଏଠାରେ ନା ଅଛି ସାମାଜିକ ଦୂରତ୍ବ ନା ଅଛି କାହା ମୁହଁରେ ମାସ୍କ । କରୋନାକୁ ନେଇ ଜାରି ହୋଇଥିବା ନିୟମ କଣ ଏମାନଙ୍କୁ ଜଣା ନାହିଁ କି? ୫୦ ଜଣଙ୍କ ଭିତରେ ବିବାହ ଘର ସମ୍ପନ୍ନ ହେବ ବୋଲି ସରକାର ନିୟମ କରିଛନ୍ତି । କିନ୍ତୁ ଏଠାରେ ତ କନିଆ ଘରକୁ ଛାଡି ଏତେ ବରଯାତ୍ରୀଙ୍କୁ ଦେଖିବାକୁ ମିଳୁଛି । ଏନେଇ ଖବର ପାଇବା ପରେ ଗୋପାଳପୁର ଥାନା ପୋଲିସ୍ ତଦନ୍ତ କରୁଥିବାବେଳେ କୋଭିଡ୍ ନିୟମ ପାଳନ କରି ବାହାଘର ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।
ସୂଚନା ଥାଉକି, ନିକଟରେ ବିହାର ପାଟଣାର ପାଲିଗଞ୍ଜରେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥିରେ ଏକ ବିବାହ ଉତ୍ସବରେ ବର ଜଣଙ୍କ ବାହାଘରର ଗୋଟିଏ ଦିନ ପରେ ହିଁ ପ୍ରାଣ ହରାଇଥିଲେ। ଜୁନ ୧୫ରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ବିବାହରେ ସାମିଲ ହୋଇଥିବା କିଛି ଲୋକଙ୍କର କରୋନା ଲକ୍ଷଣ ଦେଖାଯାଇଥିଲା। ଯାହାପରେ ତାଙ୍କର ରକ୍ତ ନମୂନା ଟେଷ୍ଟ କରାଇଥିଲେ। ଯାହାପରେ ଏହି ମାମଲା ଗୋଷ୍ଠି ସଂକମ୍ରଣ ଆଡକୁ ରୂପ ନେଇଥିବା ଜଣାପଡିଥିଲା ।