ଘଟଗାଁ(କେନ୍ଯୁଜ୍): ସାରା ଦେଶରେ ଏବେ କରୋନା ମହାମାରୀର ଭୟଭୟତା ଲାଗିରହିଛି । ଏଥିପାଇଁ ରାଜ୍ୟ ସରକାର ସବୁ ପୂଜା ସ୍ଥଳୀ ମାନଙ୍କରେ କୋଭିଡ଼ କଟକଣା ଲାଗୁ କରିଛନ୍ତି । ତେବେ ଏହି କଟକଣା ମଧ୍ୟରେ ଗତକାଲି ରାତିରେ ମା ତାରିଣୀଙ୍କର ପ୍ରସିଦ୍ଧ ଆଷାଢ଼ୀ ପର୍ବ ପାଳିତ ହୋଇଛି। କଟକଣା ପାଇଁ ମନ୍ଦିର ଦ୍ୱାର ଭକ୍ତଙ୍କ ପାଇଁ ବନ୍ଦ ଥିବା ବେଳେ ପ୍ରଥା ଅନୁଯାୟୀ ଦିନରେ ମନ୍ଦିରରେ ମା ଙ୍କ ନୀତିକାନ୍ତି ବନ୍ଦ ରହିଥିଲା । ସନ୍ଧ୍ୟାରେ ସମସ୍ତ ନୀତିକାନ୍ତି ସହ ମାଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ସୁନା ବେଶ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରଥା ଅନୁଯାୟୀ ମା ଭକ୍ତଙ୍କ ପାଇଁ ଦିନରେ ଉପାସ କରୁଥିବା ବେଳେ ସନ୍ଧ୍ୟାରେ ମାଙ୍କ ଉପାସ ଭାଙ୍ଗିବା ପାଇଁ ଭକ୍ତ ବୋଦା ଭେଟି ଦେଇଥାନ୍ତି । ପ୍ରଥା ଅନୁସାରେ ମନ୍ଦିର ଆଖପାଖରେ ଥିବା ୨୨ ଟି ମୌଜାର ଭକ୍ତମାନେ ସନ୍ଧ୍ୟାରେ ମାଙ୍କୁ ବୋଦା ଭେଟିଦେଇଥାନ୍ତି । ଆଜି କଟକଣା ପାଇଁ ଭକ୍ତମାନେ ନିରାଶ ହୋଇଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ପୂଜା ଓ ସରକାରୀ ନିୟମକୁ କଡାକଡି କରାଯାଇଥିଲା ।