କେନ୍ୟୁଜ ବ୍ୟୁରୋ : ଜାତୀୟ ସ୍ତରରେ ଓଡ଼ିଶା ହାସଲ କରିଛି, ଷ୍ଟାର୍ଟଅପ୍ ଲିଡର ସ୍ୱୀକୃତି। ୨୦୧୯ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଷ୍ଟାର୍ଟଅପ୍ ର୍ୟାକିଂରେ ଓଡ଼ିଶା ଏହି ସ୍ଥାନ ପାଇଛି। ବର୍ତ୍ତମାନ ରାଜ୍ୟରେ ଷ୍ଟାର୍ଟଅପ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି। ଏଥିରେ ୬ ହଜାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ରାଜ୍ୟରେ ଷ୍ଟାର୍ଟଅପ୍ ଅଗ୍ରଗତିର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ।
ସମୀକ୍ଷା ପରେ, ଲକ୍ଷ୍ୟଭିତ୍ତିକ ସହଭାଗିତା ଏବଂ ସାହାୟତ୍ମକ ନିୟାମକ ମାଧ୍ୟମରେ ରାଜ୍ୟର ଷ୍ଟାର୍ଟଅପ୍ ଇକୋ ସିଷ୍ଟମକୁ ଅଧିକ କ୍ରିୟାଶିଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟଶାସନ ସଚିବ। ଅଧିକ ୪ଟି ଷ୍ଟାର୍ଟଅପ ଉଦ୍ୟୋଗ ଏବଂ ୪ଟି ଇନ୍କ୍ୟୁବେଟରଙ୍କୁ ଆର୍ଥିକ ସହାୟତା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ସଂସ୍ଥାଗୁଡିକ ପ୍ରାୟ ୨ କୋଟି ୮୮ ଲକ୍ଷ ଟଙ୍କାର ବିଭିନ୍ନ ସାହାଯ୍ୟ ପାଇବେ। ଏହାସହ ଭୁବନେଶ୍ୱର ସ୍ଥିତି ସେଣ୍ଟ୍ରାଲ ଟୁଲ୍ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର ଓ ଜୀବନ ବିଜ୍ଞାନ ପ୍ରତିଷ୍ଠାନକୁ ଷ୍ଟାର୍ଟଅପ୍ ନୋଡାଲ ସଂସ୍ଥାଭାବେ ତାଲିକା ଭୁକ୍ତ ପାଇଁ ଅନୁମୋଦନ କରିଛନ୍ତି ମୁଖ୍ୟ ଶାସନ ସଚିବ।