ନିଲମ୍ବିତ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କୁ ମିଳିବ ବାଧ୍ୟତାମୂଳକ ଅବସର !, କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ନିଲମ୍ବିତ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ । କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତ୍ୟଧିକ ଦୁର୍ନୀତିଗ୍ରସ୍ତ ଯୋଗୁ କଲେ ସୁପାରିଶ । ଜଣେ ଦୁର୍ନୀତିଗ୍ରସ୍ତ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ସୁପାରିସ କରିବାରେ ଏହା ପ୍ରଥମ ଘଟଣା । ଦୁର୍ନୀତି ବିରୋଧରେ ନବୀନ ସରକାର ଜିରୋ ଟଲେରାନ୍‌ସ ନୀତି ଆପଣେଇଛନ୍ତି । ଉଚ୍ଚସ୍ତରରେ ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି । ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ଭିଜିଲାନ୍‌ସ ଗିରଫ କରିବା ପରେ ଏବେ ସେମାନେ ଜେଲରେ ଅଛନ୍ତି ।

ପାଠକ ବାପପୁଅ ଅସଦ ଉପାୟରେ କୋଟି କୋଟି ଟଙ୍କା ସଂପତ୍ତି ଠୁଳ କରିଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କର ୨୦ କୋଟିରୁ ଅଧିକ ଟଙ୍କା ସଂପତ୍ତି ଜବତ ହୋଇଛି । ତଦନ୍ତ ବେଳେ ଜଣାପଡ଼ିଛି ଅଭୟ ପାଠକ ଅସଦ ଉପାୟରେ କମାଇ ଥିବା ଟଙ୍କା ତାଙ୍କ ପୁଅ ଆକାଶ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଛନ୍ତି । ଏଥିସହ ପୁଅକୁ ଜାଲି ଟାଟା ମୋଟର୍ସ ଏମଡି ସଜାଇବାରେ ତାଙ୍କର ଭୂମିକା ରହିଛି । ଟାଟା ମୋଟର୍ସରେ ଚାକିରୀ ଦେବା ନାଁରେ ଯୁବକଯୁବତୀଙ୍କ ଠାରୁ ଟଙ୍କା ଠକି ନେବା, ଜାଲିଆତି ଆଦି ନେଇ ଆକାଶଙ୍କ ନାଁରେ ମଧ୍ୟ କ୍ରାଇମବ୍ରାଞ୍ଚରେ ମାମଲା ରହିଛି ।

ଅଭୟକାନ୍ତ ଅସଦ ବାଟରେ ଧନ ଉପାର୍ଜନ କରି ବିଳାସପୂର୍ଣ୍ଣ କାର ମର୍ସିଡେଜ, ବିଏମଡବ୍ଲୁ ଆଦି କିଣିଛନ୍ତି । ଏଥିସହ ଲକଡାଉନ ସମୟରେ ପାଠକ ବାପପୁଅ ଚାର୍ଟାଡ ପ୍ଲେନରେ ଦେଶର ବିଭିନ୍ନ ସ୍ଥାନକୁ ଯିବା ସହ ବିଳାସପୂର୍ଣ୍ଣ ହୋଟେଲରେ ରହିଥିବା ଜଣାପଡ଼ିଥିଲା । ସେମାନେ ମଧ୍ୟ ନିଜ ପାଇଁ ବାଉନସର ରଖିଥିଲେ । ଏବେ ଦୁହେଁ ଭୁବନେଶ୍ୱର ଝାରପଡ଼ା ଜେଲରେ ଦିନ ଗଣୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.