ଦୁଇ ଭେଣ୍ଡିଆ ପୁଅଙ୍କ ମୃତ୍ୟୁ ଦେଖିବା ପରେ କାନ୍ଦି କାନ୍ଦି ଆଖି ହରାଇଲା ମା’, ୪ ପ୍ରାଣୀ ପେଟ ପୋଷିବା ପାଇଁ ଏବେ ଇଟା ଭାଟି ସାହା

କେନ୍ୟୁଜ୍(ବ୍ୟୁରୋ): ପେଟର ଭୋକ ଆଗରେ ସବୁକିଛି ହାର ମାନେ। ସେ ସକ୍ଷମ ମଣିଷ ହେଉ ବା ଭିନ୍ନକ୍ଷମ । ଯେତେବେଳେ ବଞ୍ଚିବା ପାଇଁ ସଂଘର୍ଷର କଥା ପଡ଼େ ସେତେବେଳେ ଜୀବନ କୁ ବାଜି ଲଗାଇ କାମ କରିବାକୁ ବାଧ୍ୟ ହୁଏ ମଣିଷ । ଆମେ ଆଜି ଏମିତି  ଜଣେ ଦୃଷ୍ଟିହୀନ ମହିଳାଙ୍କ କଥା କହୁଛୁ ଯାହାଙ୍କ କଥା  ଶୁଣିଲେ ପଥର ହୃଦୟ ବି ତରଳି ଯିବ।

ମହିଳା ଜଣକ ହେଲେ ଉମରକୋଟ ବ୍ଲକ୍‌ ଅଧିକାରିଗୁଡ଼ା ଗ୍ରାମର ଲକ୍ଷ୍ମୀ ବାଇ ଚନ୍ଦ୍ରକାର। ବର୍ତ୍ତମାନ ସେ ଦୃଷ୍ଟିହୀନ।  ତଥାପି ଜୀବନ ଆଗରେ ହାର ନ ମାନି ଶିଖିଛନ୍ତି ବଞ୍ଚିବାର ରାସ୍ତା । ଦୃଷ୍ଟିହୀନ ହୋଇ ଅଣ୍ଡାଳି ଅଣ୍ଡାଳି ତିଆରି କରୁଛନ୍ତି ଇଟା । କିଛି ବର୍ଷ ପୂର୍ବରୁ ତାଙ୍କ ଦୁଇ ପୁଅଙ୍କ କୌଣସି ରୋଗରେ ମୃତ୍ୟୁ ଘଟିଥିଲା । ଏହା ପରେ ସେ ଦୁଃଖରେ ଭାଙ୍ଗି ପଡି କାନ୍ଦି କାନ୍ଦି ସେ ହରାଇ ବସିଲେ ନିଜ ଦୃଷ୍ଟି ଶକ୍ତି । ଦୃଷ୍ଟି ଶକ୍ତି ହରାଇବା ପରେ ସେ ବିଭିନ୍ନ ଡାକ୍ତରଖାନାକୁ ଯାଇ ନିରାଶ ହୋଇଥିଲେ । ଶେଷରେ ଡାକ୍ତର ଆଉ ଭଲ ହେବନାହିଁ କହି ଫେରେଇ ଦେଇଥିଲେ ।

ଲକ୍ଷ୍ମୀ ତାଙ୍କ ସ୍ୱାମୀ ଗୋଟିଏ ନାତି ଆଉ ଦୁଇ ନାତୁଣୀଙ୍କୁ ନେଇ ତାଙ୍କ ଅଭାବୀ ପରିବାର । ପରିବାର ପୋଷଣ ଆଉ ପେଟର ଭୋକ ତାଙ୍କୁ ଟାଣି ଆଣିଛି ଇଟା ଭାଟିକୁ। ଲକ୍ଷ୍ମୀ ଆଉ ତାଙ୍କ ସ୍ୱାମୀ ବି କାମ କରନ୍ତି ସେହି ଇଟା ଭାଟିରେ । ୧୦୦୦ ଇଟା ଗଢିଲେ ମିଳେ ୭୫୦ ଟଙ୍କା ମଜୁରୀ ସେଥିରେ ସମସ୍ତେ ଚଳନ୍ତି । ଇଟା ଭାଟି ଠାରୁ ଘର ଦୂର ହୋଇଥିବାରୁ ସମସ୍ତେ  ଭାଟି ନିକଟରେ ରହିଥିବା ଅସ୍ଥାୟୀ କୁଡ଼ିଆରେ ରୁହନ୍ତି ଓ ସେଠାରେ ଖିଆପିଆ କରନ୍ତି । କିନ୍ତୁ ଇଟା କାମ ତ ସବୁଦିନ ପାଇଁ ନୁହେଁ ଯେତେବେଳେ ଇଟା ଭାଟି ବନ୍ଦ ହୋଇଯିବା ସେତେବେଳେ ଲକ୍ଷ୍ମୀ କିପରି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ମଧ୍ୟ ଅଛନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.