ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଟାଉନ ଥାନା ବାଣପୁର ଅଞ୍ଚଳର ଗୋଲ ପୋଖରୀ ହୁଡାରେ ଜଣେ ଆଦିବାସୀ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ଟାଉନ ଥାନାର ଅବଦଲପୁର ଅଞ୍ଚଳରେ ଥିବା ହୁଡା ସାହିରେ ପ୍ରାୟ ୧୦ ବର୍ଷ ହେଲା ପରିବାର ସହ ରହୁଥିବା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ବୁଦେଶ୍ବର ମହାକୁଡା(୨୫)ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଉକ୍ତ ସ୍ଥାନ ଏକ ନିଛାଟିଆ ଅଞ୍ଚଳ ହୋଇଥିବାରୁ ସ୍ଥାନୀୟ ପୋଖରୀକୁ କେବଳ ଲୋକମାନେ ଶୌଚ ପାଇଁ ଯାଇଥାନ୍ତି।
ତେବେ ମୃତ ଯୁବକ ଜଣକ ନିଜ ପତ୍ନୀଙ୍କୁ ପୋଖରୀକୁ ଗାଧୋଇବାକୁ ଯାଇଛି କହି ଏଠାରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ। କିଛି ଲୋକ ବୁଦେଶ୍ବରର ଶରୀର ଗଛରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେବା ସହ ପରିବାରକୁ ଜଣାଇଥିଲେ। ପରେ ଘଟଣା ସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି। ତେବେ ବୁଦେଶ୍ବର ଏକ ମାସ ହେବ ବିବାହ କରିଥିବା ପରିବାର ଲୋକ କହିଛନ୍ତି। କୌଣସି ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି।