୪ ଦିନ ହେଲା ବିରାଜିଲେଣି ମା’, ବିନା କୋଳାହଳରେ ଚାଲିଛି ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

ଚାଙ୍ଗୁ ବାଜାର ତାଳେ ତାଳେ ପରଭା ନୃତ୍ଯ ହେଉଥିଲା। ଆଉ ଘଣ୍ଟ, ତାଳ ମୃଦଙ୍ଗର ଶବ୍ଦ ଭିତରେ ମା’ଙ୍କ ଘଟ ପହଞ୍ଚିଥିଲା ମହୁରୀଗଡ଼ ରାଜବାଟିରେ। ସାଥିରେ ୮ ଟି ପାର୍ଶ୍ୱ ଘଟ ମଧ୍ଯ ଥିଲେ ହେଲେ ନଥିଲେ ଭକ୍ତ କି ଶ୍ରଦ୍ଧାଳୁ। ଯାତ୍ରାର ମୁଖ୍ଯ ପୁରୋଧା ଦେଶୀ ବେହେରା, କିଛି ସେବାୟତ ଓ ଯାତ୍ରା କମିଟିର କିଛି ସଦସ୍ଯଙ୍କ ଗହଣରେ ମା’ଙ୍କ ଘଟ ପହଞ୍ଚିଥିଲା ରାଜବାଟିରେ। ଦେଶୀ ବେହେରାଙ୍କ ପତ୍ନୀ ଦେବକୀ ମା’ଙ୍କ ଘଟକୁ ଧାରଣ କରିଥିଲେ। ପରମ୍ପରା ପ୍ରକାରେ ମା’ ପ୍ରଥମେ ରାଜଦର୍ଶନ ଦେଇଥିବାରୁ ମା’ଙ୍କ ପୂଜା କରି ଧନ୍ଯ ମଣିଥିବା କହିଛନ୍ତି ମହୁରୀ ରାଜା। ଅନ୍ଯପଟେ ଜିଲ୍ଲାପାଳ ଉପସ୍ଥିତ ରହି ସ୍ଥିତି ଅନୁଧ୍ଯାନ କରିବା ସହ କୋଭିଡ୍‌ ଗାଇଡ୍‌ ଲାଇନ୍‌ ପାଳନ ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି।

ପ୍ରତି ଦୁଇ ବର୍ଷରେ ଥରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥାଏ ମା’ ବୁଢ଼ୀ ସାଆନ୍ତାଣିଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। ସେହି କ୍ରମରେ ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇଛି ଏହି ଯାତ୍ରା। ପୂର୍ବରୁ ଏକ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଏହି ଯାତ୍ରା ହୋଇ ଆସୁଥିବା ବେଳେ ଏବେ କୋଭିଡ୍‌ ର ଭୟାବହତା ହେତୁ ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ ଅନୁମତି ଦିଆଯାଇଛି। ଏପରିକି ଜନସମାଗମ ଏଡ଼ାଇବା ପାଇଁ ମା’ ଆସିବା ଦିନ ପୂରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା।

budhithakurani2

ଆଉ ଗତକାଲି ରାତିରେ ମା’ଙ୍କ ନଗର ପରିକ୍ରମା ବେଳେ ମଧ୍ଯ ୧୪୪ ଧାରା ଜାରି କରାଯାଇଥିଲା। ଏଥି ପାଇଁ ଶୋଭାଯାତ୍ରାରେ ସାମିଲ୍‌ ହୋଇ ପାରିନଥିବା ଭକ୍ତ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଅସ୍ଥାୟୀ ମଣ୍ଡପ ନିକଟରେ ସକାଳୁ ଭିଡ଼ ଜମାଇଥିଲେ। ଆଉ ଘଟ ଭିତରେ ମା’ଙ୍କୁ ଦର୍ଶନ କରି ସମସ୍ତେ ଭାବବିହ୍ଵଳ ହୋଇ ଉଠିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.