ଶକ୍ତି କେବେ ସୁନ୍ଦରୀ ତ ଆଉ କେବେ ଭୟଙ୍କରୀ। ତାଳଚେର ସ୍ଥିତ ମା’ ହିଙ୍ଗୁଳା ଅଷ୍ଟମ ମହାବିଦ୍ୟାଙ୍କ ମଧ୍ୟରେ ଅନ୍ୟତମ। ମା’ ଙ୍କ ପୀଠ ଯେତିକି ପ୍ରାଚୀନ, ସେତିକି ବୈଚିତ୍ରମୟ। ଏପରିକି କିମ୍ବଦନ୍ତୀ କହେ, ଶ୍ରୀକ୍ଷେତ୍ରଧାମ ସହ ମା’ ଙ୍କ ପୀଠର ରହିଛି ନିବିଡ ସମ୍ପର୍କ। ଚୈତ୍ରମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମା’ ଙ୍କର ବାର୍ଷିକ ଉତ୍ସବ ପାଳନ କରାଯାଏ। ସେହିଦିନ ମା ଅଗ୍ନି ରୂପରେ ପ୍ରକଟ ହୋଇ ୯ ଦିନ ଧରି ପୂଜା ପାଆନ୍ତି। ଏହାକୁ ମା’ ଙ୍କର ନବଦିନାତ୍ମକ ଯାତ୍ରା ବୋଲି ମଧ୍ୟ କୁହାଯାଏ। ଏହି ପୀଠରେ ଦେହୁରୀ ସେବକମାନେ ମା’ ଙ୍କର ପୂଜାର୍ଚ୍ଚନା କରନ୍ତି। ନଅଦିନ ଧରି ସହସ୍ରାର୍ଚ୍ଚନା, ଚଣ୍ଡୀପାଠ, ଯଜ୍ଞ , ମନ୍ତ୍ର, ଶ୍ଳୋକ ସହ ମା’ଙ୍କର ସ୍ୱତନ୍ତ୍ର ପୂଜା କରାଯାଇଥାଏ। ଏହି ସମୟରେ ଲକ୍ଷାଧିକ ଭକ୍ତ ପୂଜାରେ ନିଜକୁ ସାମିଲ କରି ଅଭିଷ୍ଟ ପୂରଣ ପାଇଁ ମା’ ଙ୍କ ଶରଣାପନ୍ନ ହୋଇଥାନ୍ତି। ହିଙ୍ଗୁଳା ମା’ ଶ୍ରୀକ୍ଷେତ୍ରରେ ବିରାଜମାନ ପଛରେ ଏକ ଅଲୌକିକ କିମ୍ବଦନ୍ତୀ ରହିଛି।
ନଳରାଜା ମା’ ହିଙ୍ଗୁଳାଙ୍କର ପରମଭକ୍ତ ଥିଲେ। ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦ କିପରି ଅତ୍ୟନ୍ତ ସ୍ୱାଦଯୁକ୍ତ ହେବ ସେଥିପାଇଁ ଗଜପତି ମହାରାଜ ସର୍ବଦା ଚିନ୍ତିତ ରହୁଥିଲେ। ସ୍ଵପ୍ନାଦେଶ ପାଇ ସେ ମା ହିଙ୍ଗୁଳାଙ୍କ ଶରଣାପନ୍ନ ହେଲେ। ମହାରାଜାଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ହୋଇ ମାଆ ହିଙ୍ଗୁଳା ଶ୍ରୀମନ୍ଦିର ପାକଶାଳାକୁ ବିଜେ କଲେ। ତାଙ୍କରି ମହିମାରୁ ଶ୍ରୀମନ୍ଦିର ରୋଷ ଘରେ ପ୍ରସ୍ତୁତ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗ ସାମଗ୍ରୀ ସ୍ଵାଦିଷ୍ଟ ହେଲା।
ଏହି ପୀଠରେ ମା’ ଭକ୍ତଙ୍କ ଠାରୁ ନୈବେଦ୍ୟ ଗ୍ରହଣ କରିଥାନ୍ତି। ଏଥିପାଇଁ କୌଣସି ସେବାୟତ ବା ପୂଜକଙ୍କର ଆବଶ୍ୟକତା ପଡିନଥାଏ। ମା’ ହିଙ୍ଗୁଳାଙ୍କ ସମ୍ପର୍କରେ ଅନେକ କିମ୍ବଦନ୍ତୀ ଲୋକଲୋଚନରୁ ଶୁଣିବାକୁ ମିଳେ। ବର୍ଷତମାମ ପୀଠରେ ମାନସିକ ରଖି ଭକ୍ତମାନେ ପୂଜାର୍ଚ୍ଚନା କରିଥାନ୍ତି। ମା’ପ୍ରତ୍ୟକ୍ଷ ଠାକୁରାଣୀ ଡାକିଲେ ଓ କରନ୍ତି ବୋଲି ଭକ୍ତମାନେ କୁହନ୍ତି।
ତେବେ କରୋନା ପାଇଁ ବର୍ଷ ବର୍ଷର ପରମ୍ପରା ଓ ସଂସ୍କୃତି ଉପରେ ଲାଗିଛି ରୋକ। ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଉତ୍ସବ ଉପରେ କଟକଣା ଲଗାଇଛି ପ୍ରଶାସନ। ପ୍ରଶାସନ ଅନୁରୋଧରେ ପୀଠକୁ ଆସିନାହାନ୍ତି ଭକ୍ତ। କେବଳ ନୀତି କାନ୍ତିରେ ମାଙ୍କୁ ପୂଜାର୍ଚ୍ଚନା କରାଯାଇଛି।