ଯାଜପୁର ରୋଡ଼ (କେନ୍ୟୁଜ): କୋରେଇ ଥାନା ଅନ୍ଧାରୀ ପଞ୍ଚାୟତର ଏକାଧିକ ସ୍ଥାନରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ଦମ୍ପତ୍ତି ଗୁରୁତର ହୋଇଛନ୍ତି । ଯାଜପୁର ରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ ଓ କୋରେଇ ଥାନା ସବ ଇନ୍ସପେକ୍ଟର ବିଶ୍ଵଜିତ ବିଶ୍ଵାଳ ସାଇଣ୍ଟିଫିକ ଟିମ ନେଇ ଘଟଣାର ତନାଘନା କରିଛନ୍ତି ।
ରାତି ପ୍ରାୟ ସାଢେ ୧ ଟା ବେଳେ କୋରାବନ୍ଦି (ସାହାଡ଼ାକୋଳି) ଗ୍ରାମର ଦାଶରଥି ଜେନାଙ୍କ ଘରେ ଚାରି ଜଣ ଦୁର୍ବୃତ୍ତ ପଶି ସୁନା ଚେନ,ଦୁଇ ହଳ କାନ ଫୁଲ ଓ ଅନ୍ୟାନ୍ୟ ସୁନା ଗହଣା ସମେତ କଂସା ବାସନ ଲୁଟି ନେଇଥିଲା। ଏହା ସହ ଭୁଜାଲିରେ ପତ୍ନୀ ଯମୁନା ଓ ତାଙ୍କ ଦେହର ବିଭିନ୍ନ ସ୍ଥାନକୁ ହାଣିଥିବା ଦାଶରଥି ଅଭିଯୋଗ କରିଛନ୍ତି । ଉଭୟ ଗୁରୁତର ଅବସ୍ଥାରେ ଏବେ ଯାଜପୁର ରୋଥ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି।
ସେହିପରି କୋରାବନ୍ଦୀ ଗ୍ରାମର ବିଚିତ୍ରାନନ୍ଦ ପତିଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ ହେଁ ଶବ୍ଦ ଶୁଣି ଘର ଲୋକେ ଉଠି ପଡିବାରୁ ଦୁବୃର୍ତ୍ତ ମାନେ ସେ ସ୍ଥାନ ଛାଡି ଚାଲିଯାଇଥିଲେ । ତା’ ପରେ ଗ୍ରାମର ଚନ୍ଦ୍ରମଣି ପରିଡାଙ୍କ କ୍ୟାବିନ ଭାଙ୍ଗି ସାମଗ୍ରୀ ଲୁଟି ନେଇଥିଲେ । ପରେ ରାତି ପ୍ରାୟ ସାଢେ ତିନିଟା ବେଳେ ଗ୍ରାମର ବିନୋଦ ସେଠୀଙ୍କ ଘରେ ପଶି ଏକ ବାକ୍ସ ନେଇଯିବା ସହ ପରିବାରକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଗୋଟିଏ ରାତିରେ ଗୋଟିଏ ଗ୍ରାମରେ ଦୁବୃର୍ତ୍ତଙ୍କ ଏକାଧିକ ଘରେ ଲୁଟତରାଜ ଗ୍ରାମବାସୀଙ୍କ ମଧ୍ଯରେ ଭୟର ବାତାବରଣ ସୃଷ୍ଟି କରିଛି। ଦୁର୍ବୃତ୍ତଙ୍କୁ ତୁରନ୍ତ ଧରିବା ପାଇଁ ପୋଲିସ ନିକଟରେ ଲୋକେ ଦାବି କରିଛନ୍ତି ।