ଜଣଙ୍କ ପରେ ଜଣେ ଚାଲିଗଲେ ବାପା ମା”, ଏବେ ବେସାହାରା ହେଇଗଲା ୨ ବର୍ଷର ଝିଅ

ବାଲେଶ୍ଵର(କେ ନ୍ୟୁଜ): ବାଲେଶ୍ଵର ଗୋଟିଏ ଦିନରେ ଜଳିଲା ଦୁଇ ଦୁଇଟି ଜୁଇ। ପ୍ରଥମେ ସ୍ୱାମୀ ଆଉ ପରେ ସ୍ତ୍ରୀ ଚାଲିଗଲେ ଆରପାରିକୁ। ପଛରେ ଛାଡ଼ି ଦେଇଗଲେ ଏକମାତ୍ର କୁନି ଝିଅ ନନ୍ଦିନୀ। ପୁଣି ଏକ ହୃଦୟ ବିଦାରକ ଆତ୍ମାକୁ ବାଧିଲା ଭଳି ଘଟଣା ଘଟିଛି । ହେଲେ ଇଏ କରୋନା ପ୍ରହାର ନୁହେଁ । ଜୀବନ ଜୀବିକାର ନାଟକରେ ଅଭିନୟ ସାରି ଦେଇ ଚାଲିଗଲେ ସ୍ୱାମୀ ସ୍ତ୍ରୀ । କାରଣ ଯାହା ଥାଉନା କାହିଁକି ଛୋଟ ପିଲାଟା କଥା ଟିକିଏ ବି ଭାବିଲେନି । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଡା ପଞ୍ଚାୟତର ହଳିସ ଗାଁ। ଏହି ଗାଁରେ ରୁହନ୍ତି ନାରାୟଣ ବିଶ୍ୱାଳଙ୍କ ପରିବାର। ପୁଅ ପର୍ଶୁରାମ ବିଶ୍ୱାଳ ହେଉଛନ୍ତି ଜଣେ ଦିନ ମଜୁରିଆ। ନିଜର ସେମିତି କିଛି ଜମି ବାଡି ନ ଥିବାରୁ ପର୍ଶୁରାମ ପର ଘରେ କାମ ଧନ୍ଦା କରି ପରିବାର ଚଳାଉଥିଲେ । ତେବେ ଗତ କିଛି ଦିନ ହେବ ପର୍ଶୁରାମଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାଳିଆ ଯୋଜନାରେ କିଛି ଟଙ୍କା ଆସିଥିଲା । ହେଲେ ତାଙ୍କ ନାମରେ ବ୍ୟାଙ୍କରେ ପୂର୍ବରୁ ଋଣ ଟଙ୍କା ଥିବା କାରଣରୁ ବ୍ୟାଙ୍କ ମ୍ୟାନେଜର ଆକାଉଣ୍ଟକୁ ହୋଲଡ୍ କରିଦେଲେ।

ଯାହାଫଳରେ ଅଭାବୀ ପର୍ଶୁରାମ ଟଙ୍କା ଉଠାଇ ପାରିଲେନି। ଆଉ ବଢ଼ିଗଲା ତାଙ୍କର ମାନସିକ ଦୁଶ୍ଚିନ୍ତା । ଏହି କାରଣରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଉ ପରେ ପରେ ଅସୁସ୍ଥ ସ୍ତ୍ରୀ ଖୁବ୍‌ ଭାଙ୍ଗି ପଡ଼ିଥିଲେ । ସେ ମଧ୍ୟ ଚାଲିଗଲେ ଆରପାରିକୁ । ଗୋଟିଏ ଦିନରେ ଜଳିଲା ସ୍ୱାମୀ ସ୍ତ୍ରୀଙ୍କ ଜୁଇ । ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତ ପରେ ଜଣାପଡ଼ିବ ହେଲେ ମାନବିକତା ଦୃଷ୍ଟିରୁ ଦେଖିଲେ ଏହି ଦରିଦ୍ର ପରିବାର ଏବେ ସମ୍ପୂର୍ଣ୍ଣ ବେସାହରା ହୋଇ ପଡ଼ିଛି । ବିଶେଷ କରି ମୃତ ଦମ୍ପତିଙ୍କ ଅବୋଧ ଶିଶୁଟିର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ପୁଅ ବୋହୂଙ୍କ ଶୁଦ୍ଧକ୍ରିୟା କରିବାକୁ ବି ଏ ପରିବାର ପାଖରେ ଟଙ୍କାଟିଏ ନାହିଁ । ଏବେ ତ ଭଦ୍ରକରେ ଥିବା ପିଉସୀ ଝିଅଟିକୁ ରଖିଛନ୍ତି କିନ୍ତୁ ତାଙ୍କର ଅବସ୍ଥା ବି ଭଲ ନୁହେଁ। ତେଣୁ କୁନି ଝିଅଟିର ଲାଳନ ପାଳନ ପାଇଁ ଗୁହାରୀ କରିଛନ୍ତି ନନ୍ଦିନୀର ପିଉସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.