ସୋରଡ଼ା(କେନ୍ଯୁଜ୍): ବଡଗଡ଼ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଅଭାବନୀୟ ଘଟଣା।ନିଜ ଘର ପିଣ୍ଡାରେ ଶୋଇଥିବା ବେଳେ ଘରର ମୁରବିଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର । ମୃତ ବ୍ୟକ୍ତି ଜଣକ କାଶୀନାଥ ଗୌଡ଼ (୭୦)। ସୂଚନା ମୁତାବକ, ବୃଦ୍ଧଙ୍କ ଦୁଇ ପୁଅ ବାହାରେ ରହୁଛନ୍ତି। ଘରେ ସ୍ତ୍ରୀ ,ଝିଅ ,ବୋହୁ ରାତିରେ ଖାଇ ପିଇ ଶୋଇଥିଲେ। ତେବେ ବୃଦ୍ଧ ଜଣକ ଅତ୍ୟଧିକ ଗରମ ଯୋଗୁ ଘର ପିଣ୍ଡାରେ ଶୋଇଥିଲେ।
ତେବେ ମଧ୍ୟ ରାତ୍ରିରେ କେହି ଦୁର୍ବୃତ୍ତ ଘର ବାହାରୁ କବାଟ ଦେଇ ହତ୍ୟା କରି ଫେରାର ହୋଇଯାଇଛି । ଘର ଲୋକ କବାଟ ନ ଖୋଲିବାରୁ ପଡିଶା ଘରକୁ ଫୋନ କରି କବାଟ ଖୋଲିଥିଲେ । ସେତେବେଳକୁ ବୃଦ୍ଧଙ୍କ ବେକ ଓ ମୁଣ୍ଡକୁ ହଣା ଯାଇ ରକ୍ତ ଚାରିଆଡେ ପଡିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ। ଖବର ପାଇ ଘଟଣା ସ୍ଥଳରେ ବଡଗଡ଼ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।