ଶୁଟିଙ୍ଗ୍ ସମୟରେ ହଲିଉଡ୍ ଅଭିନେତାଙ୍କ ଫିଲ୍ମି ବନ୍ଧୁକରୁ ବାହାରିଲା ଅସଲି ଗୁଳି, ଚାଲିଗଲା ସିନେମାଟୋଗ୍ରାଫରଙ୍କ ଜୀବନ, ଡାଇରେକ୍ଟର ଆହତ
ହଲିଉଡ୍ ଫିଲ୍ମ ‘ରଷ୍ଟ୍’ର ଶୁଟିଙ୍ଗ୍ ସେଟରେ ହିରୋ ଏଲେକ ବାଲ୍ଡଭିନ୍ଙ୍କ ଫିଲ୍ମି ବନ୍ଧୁକରୁ ବାହାରିଥିବା ଗୁଳି ସିନେମାଟୋଗ୍ରାଫରଙ୍କ ଜୀବନ ନେଇ ଯାଇଛି। ଏହି ଘଟଣାରେ ଫିଲ୍ମର ଡାଇରେକ୍ଟର ଗୁରୁତର ଆହତ ହୋଇଛନ୍ତି। ଘଟଣା ବିଷୟରେ ସୂଚନା ଦେଇ ପୋଲିସ କହିଛି, ଗୁରୁବାର ଫିଲ୍ମ ଶୁଟିଙ୍ଗ୍ ସମୟରେ ସିନେମାଟୋଗ୍ରାଫର ହଲୀନା ହଚିନ୍ସଙ୍କ ଦେହରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ଘଟିଛି ଏବଂ ଡାଇରେକ୍ଟର ଜୋଏଲ୍ ସୁଜା ଆହତ ହୋଇଛନ୍ତି। ହଠାତ୍ ଦେହରେ ଗୁଳି ବାଜିବାରୁ ୪୨ ବର୍ଷୀୟ ହଲୀନା ହଚିନ୍ସ ସେହିଠାରେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଏୟାରଲିଫ୍ଟ କରି ନ୍ୟୁ ମେକ୍ସିକୋର ଏକ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେପଟେ ୪୮ ବର୍ଷୀୟ ଡାଇରେକ୍ଟର ସୁଜାଙ୍କୁ ମଧ୍ୟ ଆମ୍ବୁଲାନ୍ସ ଯୋଗେ କ୍ରାଇଷ୍ଟସ୍ ସେଣ୍ଟ ଭିନ୍ସେଣ୍ଟ ମେଡିକାଲ ସେଣ୍ଟ ନିଆଯାଇଛି, ଯେଉଁଠି ତାଙ୍କର ଚିକିତ୍ସା ଚାଲିଛି। ଏହି ଗୁଳିକାଣ୍ଡ ପରେ ଫିଲ୍ମ ପ୍ରଡକ୍ସନକୁ ରୋକି ଦିଆଯାଇଛି। କୁହାଯାଉଛି କି, ଶୁଟିଙ୍ଗ୍ ସମୟରେ ହିରୋ ଏଲେକ ଫିଲ୍ମରେ ବ୍ୟବହାର ହେଉଥିବା ବନ୍ଧୁକକୁ ଗୁଳି ଚଳାଇଥିଲେ। ହେଲେ ଫାୟାର ହେବା କ୍ଷଣି ବନ୍ଧୁକରୁ ଅସଲି ଗୁଳି ବାହାରିଥିଲା, ଯାହାକି ସିନେମାଟୋଗ୍ରାଫର ଓ ଡାଇରେକ୍ଟରଙ୍କ ଦେହରେ ବାଜିଥିଲା।
ଏହି ଘଟଣାରେ ଏଲେକ ବାଲ୍ଡଭିନ୍ଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିଲା। ଏଠାରେ ପଚରାଉଚରା ପରେ ତାଙ୍କୁ ବିନା କୌଣସି ଅଭିଯୋଗରେ ଛାଡ଼ି ଦିଆଯାଇଛି। ଯଦିଓ ଘଟଣାର ତଦନ୍ତ ଏବେ ମଧ୍ୟ ଜାରି ରହିଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି କି, ଫିଲ୍ମି ବନ୍ଧୁକରେ ଅସଲି ଗୁଳି କେଉଁଠୁ ଆସିଲା? ଯଦି ଅସଲି ଗୁଳି ନ ଥିଲା, ତା’ହେଲେ ନକଲି ଗୁଳିରେ କାହାର ଜୀବନ କେମିତି ଗଲା? ସେପଟେ ଗିଲ୍ଡର ଅଧ୍ୟକ୍ଷ ଜନ୍ ଲିଣ୍ଡଲେ ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ରେବେକା ରାଇନ୍ ଏହି ମାମଲାକୁ ନେଇ ଏକ ବୟାନ ଜାରି କରିଛନ୍ତି। ସେମାନେ କହିଛନ୍ତି କି, ‘ଏହି ସମୟର ବିବରଣୀ ସ୍ପଷ୍ଟ ନାହିଁ। ଆମେ ଏହା ବିଷୟରେ ଅଧିକ ଜାଣିବା ପାଇଁ କାମ କରୁଛୁ। ଏହି ଦୁଃଖଦ ଘଟଣାର ତଦନ୍ତରେ ଆମେ ସମ୍ପୂର୍ଣ୍ଣ ରୂପେ ସହଯୋଗ କରୁଛୁ’।
ଶେରିଫ୍ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, ଏକ ସିନ୍ ମଝିରେ ବନ୍ଧୁକ ବାହାର କରାଯାଇଥିଲା, ଯାହାକୁ ହୁଏତ ଶୁଟିଙ୍ଗରେ ବ୍ୟବହାର କରାଯାଉଥିଲା ନଚେତ୍ ରିହର୍ସାଲ ହେଉଥିଲା। କିନ୍ତୁ ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ କି, ଘଟଣା ଦୁର୍ଘଟଣାବଶତଃ ହୋଇଛି ନା କୌଣସି ଉଦ୍ଦେଶ୍ୟ ରଖି ବନ୍ଧୁକକୁ ଗୁଳି ଚଳାଯାଇଛି। ତଦନ୍ତକାରୀ ଅଧିକାରୀଙ୍କ କହିବା ହେଲା, ବନ୍ଧୁକକୁ ଡିସ୍ଚାର୍ଜ କରି ଦିଆଯାଇଛି। ରଷ୍ଟ୍ ମୁଭିଜ୍ ପ୍ରଡକ୍ସନସ୍ ଏଲ୍ଏଲ୍ସିର ଜଣେ ପ୍ରବକ୍ତା ସିନେମାଟୋଗ୍ରାଫରଙ୍କ ମୃତ୍ୟୁକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି। ତାଙ୍କ କହିବା ହେଲା, ବ୍ଲାଙ୍କ୍ ସହିତ ଏକ ପ୍ରପ୍ ବନ୍ଧୁକର ଭୁଲ୍ ବ୍ୟବହାର ହୋଇଛି। ପ୍ରପ୍ ବନ୍ଧୁକ ସହିତ ଏମିତି ଘଟଣା ବହୁତ ବିରଳ। ଏଥି ପୂର୍ବରୁ ମାର୍ଶାଲ ଆର୍ଟ ତାରକା ବ୍ରୁସ୍ ଲିଙ୍କ ୨୮ ବର୍ଷୀୟ ପୁଅ ବ୍ରେଣ୍ଡନ ଲିଙ୍କର ମୃତ୍ୟୁ ଘଟିଥିଲା। ୧୯୯୩ ମସିହାରେ ‘ଦ କ୍ରୋ’ ସେଟ୍ରେ ତାଙ୍କ ଦେହରେ ଗୁଳି ବାଜିଥିଲା।