ଯାଜପୁର( କେନ୍ୟୁଜ ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ପଂଚାୟତ ଉତରଶାସନ ଗ୍ରାମରେ ବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଛି ମା’ ଅମରେଶ୍ୱରୀଙ୍କ ବିଶ୍ୱଶାନ୍ତି ମହାଯଜ୍ଞ । ପ୍ରଥମ ଦିନରେ ମା’ଙ୍କ ଯଥାବିଧି ପୂଜାର୍ଚ୍ଚନା, ଅଙ୍କୁରାରୋପଣ, କଳସଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା, ଗୀତାପାଠ, ଚଣ୍ଡିପାଠ, ହନୁମାନ ପୂଜା, ଯଜ୍ଞାରମ୍ଭ, ଆହୂତି, ଭୋଗଲାଗି ଆଦି ରୀତିନୀତି ସଂପନ୍ନ ହୋଇଥିଲା । ଦ୍ୱିତୀୟ ଦିବସରେ ମା’ଙ୍କ ଷୋଡଶ ଉପଚାର ପୂଜା, ଗୀତାଯଜ୍ଞ ସମେତ ଯଜ୍ଞକର୍ମ ଅନୁଷ୍ଠିତ ହୋଇଥିଲା ।
ଶେଷ ଦିବସରେ ଯଜ୍ଞଦେବତାଙ୍କ ନଗର ପରିକ୍ରମା, ପୂଜାର୍ଚ୍ଚନା ଓ ରାତିରେ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯାଇଥିଲା । ପୂଜକ ଓ ସହଯୋଗୀମାନେ ଯଜ୍ଞକର୍ମ ସମ୍ପାଦିତ କରିଥିଲେ । ପ୍ରତ୍ୟହ ସଂଧ୍ୟାରେ ଭଜନ ସମାରୋହ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାଙ୍କ ଦର୍ଶନ ସହ ପ୍ରବଚନ ଶୁଣିବା ଲାଗି ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଉଦଯାପନୀ ଦିବସରେ ସ୍ଥାନୀୟ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି କୃପାଲାଭ କରିଥିଲେ । ସ୍ଥାନୀୟ ଉତର ଶାସନ, ଦୁବଗଡିଆ, ନାଉପାଳ ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଗତ ଅପ୍ରେଲ ୧୪ ତାରିଖରେ ଥିଲା ମହାବିଷୁବ ସଂକ୍ରାନ୍ତି। ଏହିଦିନକୁ ପବିତ୍ର ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତି ରୂପେ ପାଳନ କରାଯାଏ। ଓଡ଼ିଆ ନବବର୍ଷର ଆରମ୍ଭ ଏହିଦିନରୁ ହୋଇଥାଏ। ଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ। ଏହି ଦିନଟିକୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ। ଏହି ଦିନରେ ବର୍ଷର ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କ ଠାରେ ସ୍ୱତନ୍ତ୍ର ଭାବରେ ପୂଜା ଅର୍ଚ୍ଚନା, ଭୋଗ, ହୋମ ଆଦି କରାଯାଏ। ଏହି ଦିନ ଠାରୁ ବସନ୍ତ ଋତୁର ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ। ପାର୍ବଣ ଥିବାରୁ ଏହି ଦିନଟି ସମସ୍ତଙ୍କ ପାଇଁ ବହୁତ ଖାସ ହୋଇଥାଏ।