୮୪ ଲକ୍ଷରେ ବିକ୍ରି ହେଲା ଜେଲେନ୍ସ୍କିଙ୍କ ଜ୍ୟାକେଟ୍! ସଂଗୃହୀତ ଫଣ୍ଡ୍ରୁ ଲୋକଙ୍କୁ କରାଯିବ ସାହାଯ୍ୟ…
ଗତ ଦୁଇ ମାସରୁ ଅଧିକ ଦିନ ହେବ ଜାରି ରହିଛି ରୁଷ୍ ଓ ୟୁକ୍ରେନ ଯୁଦ୍ଧ। ଲଗାତାର ବୋମା ଓ ମିସାଇଲ୍ ମାଡ଼ରେ ୟୁକ୍ରେନ ସହରଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସାରା ଦୁନିଆ ସହିତ ୟୁକ୍ରେନର ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛି। ଇନ୍ଫ୍ରାଷ୍ଟ୍ରକ୍ଚରକୁ ବି ବହୁତ କ୍ଷତି ପହଞ୍ଚିଛି। ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ମିଲିଟାରୀ ଜ୍ୟାଲେଟ୍ ନିଲାମ୍ ହୋଇଛି। ଏହି ନିଲାମୀରୁ ଯେଉଁ ଫଣ୍ଡ୍ ସଂଗୃହୀତ ହୋଇଛି, ସେଥିରେ ୟୁକ୍ରେନରେ ଫସିଥିବା ଲୋକଙ୍କର ସହାୟତା କରାଯିବ।
ଲଣ୍ଡନରେ ଆୟୋଜିତ ଏକ ଚ୍ୟାରିଟି ଅକ୍ସନରେ ଜେଲେନ୍ସ୍କିଙ୍କ ଜ୍ୟାକେଟ୍ ପାଖାପାଖି ୮୪ ଲକ୍ଷ ୬୦ ହଜାରରେ ବିକ୍ରି ହୋଇଛି। ଏହି ଅକ୍ସନ ଲଣ୍ଡନସ୍ଥିତ ୟୁକ୍ରେନ ଦୂତାବାସ ଆୟୋଜନ କରିଥିଲା। ମିଡିଆ ରିପୋର୍ଟ ମୁତାବକ, ଜ୍ୟାକେଟ୍ର ପ୍ରାରମ୍ଭିକ ମୂଲ୍ୟ ରଖାଯାଇଥିଲା ପାଖାପାଖି ୪୭ ଲକ୍ଷ ଟଙ୍କା, ଯାହାପରେ ବ୍ରିଟେନ ରାଷ୍ଟ୍ରପତି ବୋରିସ୍ ଜନସନ୍ ଲୋକମାନଙ୍କୁ ଏହି ଜ୍ୟାକେଟ୍କୁ ଅଧିକରୁ ଅଧିକ ଟଙ୍କା ଦେଇ କିଣିବାକୁ କହିଥିଲେ, ଯଦ୍ଦ୍ଵାରା ୟୁକ୍ରେନରେ ଫସିଥିବା ଲୋକଙ୍କୁ ସହାୟତା କରାଯାଇ ପାରିବ। ଜନ୍ସନ କହିଥିଲେ ଯେ ୟୁକ୍ରେନକୁ ସପୋର୍ଟ କରନ୍ତୁ। ଯେପରି କେହି କିଭ୍ ଉପରେ ପୁନଃ ଆକ୍ରମଣ ନ କରିବ ଏବଂ ୟୁକ୍ରେନ ସବୁବେଳେ ସ୍ୱାଧୀନ ଦେଶ ହୋଇ ରହିବ।
ନିଲାମୀରେ ଚାଇନା ମାଟିରୁ ତିଆରି ଭାସିଲ୍କିଭ୍ ଜଗ୍ ବି ନିଲାମ କରାଯାଇଛି। କିଭ୍ର ବୋରୋଡିଏଙ୍କା ଅଞ୍ଚଳରେ ରୁଷ୍ ଆକ୍ରମଣ ସମୟରେ ଏହି ଜଗ୍ଗୁଡ଼ିକ କୌଣସି ମତେ ରକ୍ଷା ପାଇଯାଇଥିଲା। ଅର୍ଥାତ୍ ସୁରକ୍ଷିତ ରହି ଯାଇଥିଲା। କୁକୁଡ଼ା ଆକୃତିରେ ତିଆରି ଏହି ଜଗ୍ଗୁଡ଼ିକୁ ଜଣେ ମହିଳା କିଭ୍ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କୁ ଉପହାର ଦେଇଥିଲେ।
ଏହା ବ୍ୟତୀତ ଜେଲେନ୍ସ୍କିଙ୍କ ଦସ୍ତଖତ ଥିବା ଏକ ବଲ୍ର ମଧ୍ୟ ନିଲାମୀ ହେବ। ମେଜର୍ ଲିଗ୍ ବେଓ୍ବଲ (MLB)ର ଏହି ବଲ୍ ଉପରେ ରାଷ୍ଟ୍ରପତି ଜେଲେନ୍ସ୍କି ୨୦୧୯ରେ ନ୍ୟୁୟର୍କ ଯାତ୍ରା ସମୟରେ ସାଇନ୍ କରିଥିଲେ। ସୂଚନା ମୁତାବକ, ବଲ୍ ବହୁତ ଭଲ କଣ୍ଡିସନରେ ଅଛି, ଯାହାକି ଅତି କମ୍ରେ ୧୫ ହଜାର ଡଲାର ଅର୍ଥାତ୍ ୧୧ ଲକ୍ଷ ୪୭ ହଜାରରୁ ଅଧିକ ମୂଲ୍ୟରେ ବିକ୍ରି ହେବ। ନ୍ୟୁୟର୍କର ଆର୍ଆର୍ ଅକ୍ସନ ହାଉସ୍ ଅନୁସାରେ, ଏହି ଅକ୍ସନ ୧୧ ମେ’ ପର୍ଯ୍ୟନ୍ତ ଚାଲିବ।
ସେପଟେ ରୁଷ ଓ ୟୁକ୍ରେନ ଯୁଦ୍ଧ ଭିତରେ ଆଜି ମସ୍କୋରେ ଆୟୋଜିତ ହେଉଛି ବିଜୟ ଦିବସ ପରେଡ୍। ଆଉ ଏହାରି ଭିତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ବି ଏକ ଗୁଜବ ବ୍ୟାପିବାରେ ଲାଗିଛି। କୁହାଯାଉଛି ଯେ ପୁଟିନଙ୍କ ଗାର୍ଲଫ୍ରେଣ୍ଡ ତଥା ପୂର୍ବତନ ଜିମ୍ନାଷ୍ଟ ଏଲିନା କାବେଭା ପୁଣିଥରେ ଗର୍ଭବତୀ ଅଛନ୍ତି। ଅର୍ଥାତ୍ ପୁଟିନ୍ ଖୁବ୍ ଜଲ୍ଦି ବାପା ହେବାକୁ ଯାଉଛନ୍ତି।