ଯାଜପୁର : ବାପାଙ୍କ ଶ୍ରାଦ୍ଧ ଦିନ ରଶି ଲଗାଇ ଆତ୍ମହତ୍ୟା କଲେ ବିଚାରପତି, କିଛି ଦିନ ହେଲା ଥିଲେ ଅବସାଦରେ

ଯାଜପୁର ଟାଉନ (କେନ୍ୟୁଜ): କଥାରେ ଅଛି, “ବାପା ଥିବା ପୁଅ ସଭାରେ ହାରେନା । କିନ୍ତୁ ଆଜି ସେଇ ବାପାର ଶ୍ରାଦ୍ଧ ଦିନ ପୁଅର ମୃତ୍ୟୁ ଘଟିଛି। ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଯେଉଁ ବାପାର ଆତ୍ମା ଶାନ୍ତି ପାଇଁ ପୁଅ ନିଜ ହାତରେ ପିଣ୍ଡଦାନ ଦେଇଥାଏ ଆଜି ସେହି ହାତରେ ସେ ଆତ୍ମହତ୍ୟା କରିବାକୁ ପଛାଇ ନାହିଁ। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ସିଡିଏ ସେକ୍ଟର-୯ ସ୍ଥିତ ବିଚାରପତି ସୁବାସ କୁମାର ବିହାରୀଙ୍କ ସରକାରୀ ବାସଭବନରେ। ସିଡିଏର ଏକ ଘରୋଇ ଡାକ୍ତରଖାନା ସୁବାସଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଯେଉଁ ବିଚାରପତି ଦିନେ ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ଦେଉଥିଲେ, ଆଜି ଏମିତି କଣ ଘଟିଲା ଯେ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ଦିନ ହେଲା ସୁବାସ ଛୁଟିରେ ଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିଲା। କିନ୍ତୁ ଆଜି ସେ ପୁଣି ଛୁଟି ନେଇଥିଲେ। ବିଚାରପତି ସୁବାସ କୁମାର ବିହାରୀଙ୍କ ଷ୍ଟେନୋ କହିଛନ୍ତି ଯେ ସେ ଆଜି କୋର୍ଟ ଆସିବାର ଥିଲା। କିନ୍ତୁ ସକାଳ ପ୍ରାୟ ୧୦ଟା ବେଳେ ଫୋନ୍ କରି ଛୁଟିରେ ରହିବେ ବୋଲି କହିଥିଲେ।
ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ଏସିପି କହିଛନ୍ତି। ପୋଲିସର କହିବାନୁସାରେ, ବିଚାରପତି ରଶି ଲଗାଇ ଆତ୍ମହତ୍ୟା କରିଥିବା ଭଳି ଜଣା ପଡୁଛି। ବେକରେ ଦାଗ ରହିଛି ଏବଂ ସାଧାରଣତଃ ଆତ୍ମହତ୍ୟା କଲେ ଏଭଳି ଦାଗ ସୃଷ୍ଟି ହୋଇଥାଏ। ପତ୍ନୀ ବାହାରକୁ ଯାଇଥିଲେ ଏବଂ ଘରେ କେହି ନଥିବା ବେଳେ ଏହି ଘଟଣା ଘଟିଛି। ଆଉ କିଛି କାମ ନଥିବା କହି ଅଡର୍ଲିକୁ ୧୨ଟାରୁ ପଠାଇ ଦେଇଥିଲେ ବିଚାରପତି। ଘରକୁ ଫେରିବା ପରେ ପତ୍ନୀ ଝୁଲନ୍ତା ମୃତଦେହ ଦେଖିଥିଲେ। ଘଟଣାସ୍ଥଳରୁ ଜବତ ରଶିକୁ ପରୀକ୍ଷା ପାଇଁ ପଠାଯାଇଛି। ତଦନ୍ତ ପରେ ଯାଇ ଘଟଣା ଅଧିକ ସ୍ପଷ୍ଟ ହୋଇ ପାରିବ। ଆଜି ବିଚାରପତିଙ୍କ ବାପାଙ୍କ ଶ୍ରାଦ୍ଧ ଥିଲା ବୋଲି ଏସିପି ତାପସ ପ୍ରଧାନ କହିଛନ୍ତି।

ତେବେ କିଛି ଦିନ ଧରି ସେ ଅବସାଦରେ ଥିଲେ। ତାଙ୍କ ଘର ଯାଜପୁର ସଦର ଥାନା ଭୁବନେଶ୍ୱରପୁର ଗାଁ ରେ। ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସୁବାସ ନିଜ ଗାଁ ଭୁବନେଶ୍ୱରପୁର ପଞ୍ଚାୟତର ଶେଷଦେବ ବାସନ୍ତୀ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ଯାଜପୁର ନରସିଂହ ଚୌଧୁରୀ କଲେଜରୁ ସ୍ନାତକ ଓ ବିରଜା ଆଇନ ମହାବିଦ୍ୟାଳୟରୁ ଏଲ ଏଲ ବି ପାସ କରିଥିଲେ। ଏହା ପରେ ଓଜେଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବାଲିଗୁଡା, ବରଗଡ଼, ବାଲେଶ୍ଵର, ଭୁବନେଶ୍ୱର ସମେତ ଅନେକ ଜିଲ୍ଲାର ବିଭିନ୍ନ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.