ଏକାସାଙ୍ଗେ ଯାଆଁଳା ଛୁଆ ଜନ୍ମ ଦେଲେ ମା’, କିନ୍ତୁ ଉଭୟଙ୍କ ବାପା ଥିଲେ ଭିନ୍ନ; ଧରାପକାଇ ଦେଲା ଡିଏନ୍‌ଏ ଟେଷ୍ଟ

ଜଣେ ମହିଳାଙ୍କ ଗର୍ଭରୁ ଜାତ ଦୁଇ ଯାଆଁଳା ପିଲାଙ୍କ ବାପା କିନ୍ତୁ ଅଲଗା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ପର୍ତ୍ତୁଗାଲରେ ସାମ୍ନାକୁ ଆସିଛି ଏଭଳି ଏକ ମାମଲା। ପର୍ତ୍ତୁଗାଲରେ ରହୁଥିବା ୧୯ ବର୍ଷୀୟ ଯୁବତୀ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି। ଏହି ନବଜାତକଙ୍କ ଡିଏନ୍‌ଏ ଟେଷ୍ଟ କରିବାରୁ ଜଣାପଡ଼ିଛି ଯେ ତାଙ୍କ ବାପା ଅଲଗା ଅଲଗା। ଏଭଳି ମାମଲା ସାରା ବିଶ୍ୱରେ ନିଆରା ଓ ଏହା ୨୦ ତମ କେସ୍‌ ବୋଲି ଜଣାପଡ଼ିଛି, ଯାହାର ମା’ ଜଣେ ଓ ବାପା ଭିନ୍ନ ଭିନ୍ନ। ଏଭଳି କେସ୍‌କୁ ମେଡିକାଲ ସାଇନ୍ସରେ ହେଟେରୋପ୍ୟାରେଣ୍ଟାଲ ସୁପରଫେକ୍ୟୁଣ୍ଡେସନ୍‌ କୁହାଯାଏ।

ପର୍ତ୍ତୁଗାଲର ଗୋଇୟାସ ଷ୍ଟେଟ୍‌ରେ ରହୁଥିବା ଜଣେ ଯୁବତୀ ନିକଟରେ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି। ଏହି ପିଲାଙ୍କ ବାପା ବୋଲି ଯୁବତୀ ଯାହା ନାଁ କହିଲେ ସେ ଶିଶୁଙ୍କର ଡିଏନ୍‌ଏ ଟେଷ୍ଟ କରିବାକୁ ଚାହିଁଥିଲେ। ପରେ ଟେଷ୍ଟ ହେବାରୁ ଜଣାପଡ଼ିଥିଲା ଯେ ଦୁଇ ପିଲାଙ୍କ ମଧ୍ୟରୁ କେବଳ ଜଣଙ୍କର ହିଁ ବାପା ସେ। ଅନ୍ୟ ପିଲାଟିର ଡିଏନ୍‌ଏ ତାଙ୍କ ସହ ମେଳ ଖାଉନାହିଁ।

ଅନ୍ୟପଟେ ପିଲାଙ୍କ ମୁହଁ ମଧ୍ୟ ପରସ୍ପର ସହ ବେଶ୍‌ ଖାପ୍‌ ଖାଉଛି ଓ ଉଭୟେ ଏକା ଭଳି ଦିଶୁଛନ୍ତି। ଏଣୁ ତାଙ୍କ ମା’ ବି ଭାବି ନଥିଲେ ଯେ ଏମାନଙ୍କ ବାପା ଅଲଗା ହୋଇଥିବେ। ୮ ମାସର ହେବା ପରେ ପିଲାଙ୍କ ଚିହ୍ନଟ ହୋଇଥିଲା। ଏବେ ସେମାନଙ୍କୁ ପ୍ରାୟ ଦେଢ଼ ବର୍ଷ।

ରିପୋର୍ଟ ମୁତାବକ, ଯୁବତୀଙ୍କ କହିବାନୁସାରେ ସେ ଏକା ସାଙ୍ଗେ ଦୁଇ ଜଣଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ। ଏହି କାରଣରୁ ତାଙ୍କ ସହ ଏଭଳି ହୋଇଛି। ସେ ନିଜେ ବି ଡିଏନ୍‌ଏ ଟେଷ୍ଟର ରେଜଲ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପିଲାଙ୍କ ବାର୍ଥ ସାର୍ଟିଫିକେଟ୍‌ରେ ମଧ୍ୟ ଏବେ ପିଲାଙ୍କ ଯତ୍ନ ନେଉଥିବା ଯୁବକଙ୍କ ନାଁ ବାପା ଭାବେ ରହିଛି।

ଡାକ୍ତରଙ୍କ କହିବାନୁସାରେ, ସାରା ବିଶ୍ୱରେ ଏହା ୨୦ ତମ ମାମଲା। ଯେତେବେଳେ ମହିଳା ଦୁଇ ଜଣ ଭିନ୍ନ ଭିନ୍ନ ଯୁବକଙ୍କ ସହ ସେକ୍ସ କରିଥାନ୍ତି। ତାଙ୍କ ଶରୀରରେ ଉଭୟ ଯୁବକଙ୍କ ସ୍ପର୍ମ ଡିପୋଜିଟ୍‌ ହୋଇଥାଏ। ଏହି ସ୍ପର୍ମରୁ ଜନ୍ମିତ ଯାଆଁଳା ଶିଶୁର ବାପା ଅଲଗା ଅଲଗା ହୋଇଥାନ୍ତି। ଏଭଳି କେସ୍‌ରେ ଜେନେଟିକ୍‌ ମ୍ୟାଟିରିଆଲ ମା’ଙ୍କର ହୋଇଥିବା ବେଳେ ପ୍ଲେସେଣ୍ଟା ଭିନ୍ନ ହୋଇଥାଏ ବୋଲି ଡାକ୍ତର କହିଛନ୍ତି।

Also Read: ରାଶିଫଳ : ଜାଣନ୍ତୁ, ଦିନଟି କେମିତି କଟିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.