ବିଡିଏ ଲଟେରୀ ଜମି ନେଇଥିବା ବ୍ୟକ୍ତିଙ୍କ ଠାରୁ କିଣିଥିବା ଲୋକଙ୍କୁ ଆଶ୍ୱସ୍ତି, ମାଲିକାନା ସ୍ୱତ୍ୱ ଟ୍ରାନସଫର କରି ପାରିବେ : ହାଇକୋର୍ଟ

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପରେ ବିଡିଏ ଜମି ତୃତୀୟ ପକ୍ଷ ଭାବେ ନେଇଥିବା ବ୍ୟକ୍ତିଙ୍କ ପାଇଁ ଆଶ୍ୱସ୍ତି। ବିଡିଏ ଠାରୁ ଜମି ଲଟେରୀ ମାଧ୍ୟମରେ ନେଇଥିବା ବ୍ୟକ୍ତିଙ୍କ ଠାରୁ କିଣିଥିବା ବ୍ୟକ୍ତିମାନେ ସେମାନଙ୍କ ନାମରେ କରି ପାରିବେ ମାଲିକାନା ସ୍ୱତ୍ୱ। ଏଭଳି କ୍ରେତା ସେତେବେଳର ରେଜିଷ୍ଟ୍ରେସନ କଷ୍ଟ ସହିତ ଏବେକାର ରେଜିଷ୍ଟ୍ରେସନ କଷ୍ଟ ଦେଲେ ବିଡିଏ ସେମାନଙ୍କୁ ସିଧାସଳଖ ଲିଜ ଡିଡ଼ କରି ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଡିଏ ସିଡିଏ ଜମି ଦୁର୍ନୀତି ନେଇ ତାରା ଦତ୍ତ କମିଟି ରିପୋର୍ଟ ଆଧାରରେ ଏଭଳି କ୍ରେତା ନିଜ ନାମରେ ଜମି କରି ପାରୁ ନ ଥିଲେ। ଦୈତ ନଗରୀରେ ଏଭଳି ଅନେକ ଲୋକ ଟଙ୍କା ଦେଇ ଅପେକ୍ଷା କରି ରହିଥିଲେ। ଡକ୍ଟର ଶ୍ଵାଶତି ମହାପାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି କରି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରିଣୀ ଭୁବନେଶ୍ୱର ଉନ୍ନୟନ ନିଗମର କଳିଙ୍ଗ ନଗରର ଏକ ପ୍ଲଟ ଚୌଧୁରୀ ତୃପ୍ତିମୟୀ ସାହୁଙ୍କ ଠାରୁ କ୍ରୟ କରିଥିଲେ। ତୃତୀୟ ପକ୍ଷ ଭାବେ କ୍ରୟ କରିବା ପାଇଁ ବିଡିଏରେ ଆବେଦନ କରିଥିଲେ। କିନ୍ତୁ ତାରା ଦତ୍ତ କମିଟି ରିପୋର୍ଟ ଆସିବା ପରେ ସେ ପ୍ଲଟର ଲିଜ ଡିଡ଼ ଶ୍ଵାଶତିଙ୍କ ନାମରେ ହୋଇ ପାରି ନ ଥିଲା। ତେବେ ତାରା ଦତ୍ତ କମିଟିକି ଦିଆଯାଇଥିବା ରେଫରେନସରେ ଏହା ଅନ୍ତର୍ଭୁକ୍ତ ନୁହେଁ ବୋଲି ଦର୍ଶାଇଛନ୍ତି ହାଇକୋର୍ଟ। ଏହା ସହିତ ଏହାଦ୍ୱାରା ରାଜ୍ୟ ସରକାରଙ୍କ ରାଜସ୍ୱ କ୍ଷତି ଘଟୁଥିବା ହାଇକୋର୍ଟ କହିଛନ୍ତି। ତେଣୁ ଲଟେରୀ ରେ ପ୍ଲଟ ପାଇଥିବା ବ୍ୟକ୍ତିଙ୍କ ଠାରୁ ଯେଉଁମାନେ ଜମି କିଣିଛନ୍ତି ସେମାନଙ୍କୁ ଲିଜ ଡିଡ଼ ପ୍ରଦାନ କରିବାକୁ ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତେବେ କ୍ରେତାଙ୍କୁ ସେତେବେଳର ୟୁଜର୍ସ ଫି ଓ ଷ୍ଟାମ୍ପ ଡ୍ୟୁଟି ସହ ବର୍ତ୍ତମାନର ୟୁଜର୍ସ ଫି ଓ ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡିବ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି।

 

Leave A Reply

Your email address will not be published.