ଜୟ ନାରାୟଣଙ୍କୁ ତୁରନ୍ତ ବିରୋଧିଦଳ ନେତା ପଦରୁ ବିଜେପି ହଟାଉ: ଦାବି କଲା ବଜେଡି
ଡ୍ୟୁଟିରେ ଥିବା ମହିଳା ଥାନାଧିକାରୀଙ୍କୁ ଚାପୁଡ଼ା ମରାର ଦୃଶ୍ୟ କ୍ୟାମେରାରେ କଏଦ । ଧନୁପାଲି ଆଇଆଇସି ଅନୀତା ପ୍ରଧାନଙ୍କୁ ଧକ୍କା ମାରିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
କେନ୍ୟୁଜ୍(ବ୍ୟୁରୋ): ପୁଣି ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି ନେଇ ସାଂଘାତିକ ଅଭିଯୋଗ। ଡ୍ୟୁଟିରେ ଥିବା ମହିଳା ଥାନାଧିକାରୀଙ୍କୁ ଚାପୁଡ଼ା ମରାର ଦୃଶ୍ୟ କ୍ୟାମେରାରେ କଏଦ । ଧନୁପାଲି ଆଇଆଇସି ଅନୀତା ପ୍ରଧାନଙ୍କୁ ଧକ୍କା ମାରିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ଆକ୍ରମଣ। ଆଇଆଇସି ଅନିତା ପ୍ରଧାନଙ୍କୁ ଚାପୁଡ଼ା ମାରିବାକୁ ଧମକ ସହ ଧକ୍କା ମାରିଥିବା ଅଭିଯୋଗ ହୋଇଛି।
ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପି ଆଜି ଧାରଣା ଦେଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ପୋଲିସ ବାଧାଦେଇଥିଲା । ଏହି ସମୟରେ ହଠାତ ବିଜେପିର ପୁରୁଷ କର୍ମୀମାନେ ଧସେଇ ପଶିଆସିଥିଲେ । ଧନୁପାଲି ଥାନା ଆଇଆଇସି ଅନିତା ପ୍ରଧାନ ସେଠାରେ ଜୟନାରାୟଣଙ୍କ ମିଶ୍ରଙ୍କ ସାମନାକୁ ଆସିଥିଲେ। ବିରୋଧୀଦଳ ନେତା ତାଙ୍କୁ ଗାଳିମନ୍ଦ କରିବା ସହ ଚାପୁଡ଼ା ମାରିଥିଲେ । ପଛରେ ଥିବା ଅନ୍ୟ ପୋଲିସ କର୍ମୀ ମାନେ ଏଥିରେ ହସ୍ତକ୍ଷେପ କରି ଜୟନାରାୟଣ ମିଶ୍ରଙ୍କୁ ରୋକିଥିଲେ। ଜୟନାରାୟଣଙ୍କ ଏଭଳି ଆଚରଣ ପୁଣି ଥରେ ବିବାଦ ସୃଷ୍ଟି କରିଛି। ସେପଟେ ତାଙ୍କୁ ପୋଲିସ ଧକ୍କା ମାରିଥିବା ପାଲଟା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା।
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ । ଜୟ ନାରାୟଣଙ୍କୁ ତୁରନ୍ତ ବିରୋଧିଦଳ ନେତା ପଦରୁ ବିଜେପି ହଟାଉ ବୋଲି ବଜେଡି ଦାବି କରିଛି । ଏଥିସହ ଓଡ଼ିଶାବାସୀଙ୍କୁ ବିଜେପି ଓ ଜୟ ନାରାୟଣ ମିଶ୍ର କ୍ଷମା ମାଗନ୍ତୁ ବୋଲି ଦଳ କହିଛି । ଜୟ ନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ । ତାଙ୍କ ନାଁରେ ପାଖାପାଖି ୧୪ଟି ମାମଲା ଥିବା ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି । ଲୋକଙ୍କୁ ଧମକ ଦେବା ଓ ଆକ୍ରମଣ କରିବା ନେଇ ତାଙ୍କର ଅଭ୍ୟାସ ରହିଛି। ବିଜେପି ମହିଳାଙ୍କ ସମ୍ମାନ ଓ ମର୍ଯ୍ୟାଦା ବିଷୟରେ କହୁଛି । ତେବେ ଓଡିଶା ବିଜେପି ଓ ଏହାର ନେତାମାନେ ଏଭଳି ଭାବେ ମହିଳାଙ୍କ ସମ୍ମାନ ଏବଂ ସୁରକ୍ଷା ରକ୍ଷା କରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ।