Below header

ଓସ୍‌ଜା ପକ୍ଷରୁ ଡ. ଅଶୋକ ପଟନାୟକ ସ୍ମାରକୀ ବକ୍ତୃତା : କ୍ରୀଡ଼ା ବିକାଶରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ-ରାଣୀ ରାମପାଲ

କେବଳ ହକି ନୁହେଁ, ଅନ୍ୟ ସମସ୍ତ କ୍ରୀଡ଼ାକୁ ସମାନ ଗୁରୁତ୍ବ ଦେଉଛନ୍ତି। କ୍ରୀଡ଼ାର ବିକାଶ ହେଉ କିମ୍ବା କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ, ସବୁଥିରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି।’

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ କ୍ରୀଡ଼ାର ବିକାଶ ନେଇ ଓଡ଼ିଶା ସରକାର ଯେଭଳି କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । କେବଳ ହକି ନୁହେଁ, ଅନ୍ୟ ସମସ୍ତ କ୍ରୀଡ଼ାକୁ ସମାନ ଗୁରୁତ୍ବ ଦେଉଛନ୍ତି। କ୍ରୀଡ଼ାର ବିକାଶ ହେଉ କିମ୍ବା କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ, ସବୁଥିରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି।’ ୨୫ତମ ଡ. ଅଶୋକ ପଟନାୟକ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ଏହା କହିଛନ୍ତି ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ସମ୍ମିଳନୀ କକ୍ଷରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସଜା ଆନୁକୂଲ୍ୟରେ ଆୟୋଜିତ ଏହି ବକ୍ତୃତା ମାଳାରେ ରାଣୀଙ୍କ ସହ ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଓଡ଼ିଶା ହକିର ନିର୍ଦ୍ଦେଶକ ଡେଭିଡ୍ ଜନ ଏବଂ ଓଡ଼ିଶା ନାଭାଲ ଟାଟା ହକି ଉତ୍କର୍ଷ କେନ୍ଦ୍ରର ପରିଚାଳନା ମୁଖ୍ୟ ରାଜୀବ ସେଠ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଓଡ଼ିଶା କ୍ରୀଡ଼ା ସାମ୍ବାଦିକତା ପ୍ରତି ସ୍ବର୍ଗତଃ ଡ. ଅଶୋକ ପଟନାୟକଙ୍କ ଅବଦାନ ଅତୁଳନୀୟ। ଆଜି ତାଙ୍କର ପୂଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଓସ୍‌ଜାର ବାର୍ଷିକ ସ୍ମରଣିକା ଲୋକାର୍ପିତ ହୋଇଥିଲା। ଏହି ଅବସରରେ ରାଣୀ କହିଥିଲେ, ‘କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ। ଜୀବନରେ ଆମେ ହାର ମାନିବା ଉଚିତ ନୁହେଁ । ଯେଉ କ୍ରୀଡ଼ାବିତମାନେ ଏଠାରେ ଉପସ୍ଥିତ ରହିଛନ୍ତି ସେମାନଙ୍କୁ ମୋର ଗୋଟିଏ ପରାମର୍ଶ, ନିଷ୍ଠାର ସହ ପରିଶ୍ରମ କରି ଚାଲ ଦେଖିବ ୧୦ ବର୍ଷ ପରେ ତୁମେ ମୋ ସ୍ଥାନରେ ଥିବ। ଏସୀୟ କ୍ରୀଡ଼ା ଆମର ଉଭୟ ପୁରୁଷ ଓ ମହିଳା ହକି ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଯଦି ଆମେ ସ୍ବର୍ଣ୍ଣ ଜିତୁଛୁ ତେବେ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିପାରିବୁ। ମୋର ବିଶ୍ବାସ ଆମେ ସ୍ବର୍ଣ୍ଣ ଜିତିବୁ ଏବଂ ହାଙ୍ଗଝୌରେ ପ୍ୟାରିସ ଟିକେଟ୍ ହାସଲ କରିବୁ।’

osja-2

ନିର୍ଦ୍ଦଶେକ ଶ୍ରୀ ଦାସ କହିଥିଲେ, ‘କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ସେମାନେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରନ୍ତି। ଖେଳାଳିମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥାନ୍ତି।’ ଓଡ଼ିଶାରେ ହକିର ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ପ୍ରତିଭାଙ୍କର ଭୂୟସୀ ପ୍ରଶଂସା କରିଥିଲେ ଡେଭିଡ୍ ଜନ୍। ଓଡ଼ିଶା ହକିରେ ବିକାଶ ନେଇ ଓଡ଼ିଶା ନାଭାଲ ଟାଟା ଏକାଡେମୀ କିଭଳି କାର୍ଯ୍ୟ କରୁଛି ଏବଂ ଏକାଡେମୀର ସଫଳତା ସଂପର୍କରେ ରାଜୀବ ସେଠ୍ ମତ ରଖିଥିଲେ।

ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କୁ ଏହି ଅବସରରେ ଉପଢ଼ୌକନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଓସଜା ସଭାପତି ସନ୍ଦୀପ ମିଶ୍ର କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଓସଜା ପରିଚାଳନା କମିଟି ସଦସ୍ୟ ସଂବିତ୍ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏସଜେଏଫଆଇର ପରିଚାଳନା କମିଟିକୁ ନିର୍ବାଚିତ ହୋଇଥିବା ଓସଜା ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ ଏବଂ ଗୋଲ୍ଡେନ ଜୁବିଲି କମିଟିରେ ସାମିଲ ହୋଇଥିବା ସଭାପତି ସନ୍ଦୀପ ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଓସଜାର କାର୍ଯ୍ୟକାରୀ ସଭାପତି କେ.ରବି, ସନାତନ ପାଣି, ସୁରେଶ ସ୍ବାଇଁ, ତପନ କୁମାର ସ୍ବାଇଁ, ଦେବାଶିଷ ସୁନ୍ଦରାୟ, ସମୀକ୍ଷା ପଟନାୟକ, ଅନିରୁଦ୍ଧ ମିଶ୍ର, ସମୀର ରାଉତ, ସର୍ବଶ୍ବେର ମହାନ୍ତି, ପ୍ରତାପ ପ୍ରଧାନ, ବେଣୁଧର ଦାସ, ମନୋରଞ୍ଜନ ଦାସ, ଶକ୍ତି ପ୍ରସାଦ ନନ୍ଦ, ବିମଳ କୁମାର ରାଉଳ, ସୁଜିତ ସ୍ବାଇଁ, ତୁଷାର ସେନାପତି, ରଞ୍ଜନ କୁମାର ରାୟ, ଦେବୀ ପ୍ରସନ୍ନ ପାଣିଗ୍ରାହୀ, ଚକ୍ରଧର ମାଝୀ, ମନମୋହନ ସ୍ବାଇଁ, ସନ୍ତୋଷ ମହାନ୍ତି, ମହେନ୍ଦ୍ର ସାହୁ ଓ ଶୁଭଲକ୍ଷ୍ମୀ ବଳଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.