ହିତାହିତ ଜ୍ଞାନ ଭୁଲି ଗଲା ବାପା: ଘରୋଇ କଳିକୁ କେନ୍ଦ୍ର କରି ୨ ବର୍ଷର ଶିଶୁ ପୁତ୍ରକୁ କଲା ହତ୍ୟା
ହିତାହିତ ଜ୍ଞାନ ଭୁଲି ନିଜର ୨ ବର୍ଷର ନିଷ୍ପାପ ଶିଶୁ ପୁତ୍ରକୁ କଟୁରୀରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଛି ଜନ୍ମିତ ବାପା।। କେବଳ ସେତିକି ନୁହେଁ ଶିଶୁକୁ ବଞ୍ଚାଇବା ପାଇଁ ଆସିଥିବା ପଡୋଶୀ ବୃଦ୍ଧାକୁ ବି କଟୁରୀରେ ଭୁସି ହତ୍ୟା କରିଛି ଅଭିଯୁକ୍ତ ।
ନବରଙ୍ଗପୁର (କେନ୍ୟୁଜ): ଘରୋଇ କଳିରୁ ଟ୍ରିପଲ୍ ମର୍ଡର । ନିଜ ଦୁଇ ବର୍ଷର ପୁଅ ଓ ଜଣେ ପଡ଼ୋଶୀଙ୍କୁ ହତ୍ୟା କରିଥିଲା ମଦ୍ୟପ ବାପା । ଏହାପରେ ଗାଁ ଲୋକଙ୍କ ମାଡ଼ରେ ଗଲା ହତ୍ୟାକାରୀର ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ହତ୍ୟା ଅଭିଯୁକ୍ତର ମୃତ୍ୟୁ ହୋଇଛି । ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ବୁଜୁମାପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।
ବୁଜୁମାପଦର ଗାଁର ରାଧେ ସାନ୍ତା ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ମାଳତିଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା କରିଥିଲା । ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ଠେଙ୍ଗାରେ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲା ରାଧେ । ଭୟରେ ଘର ଛାଡ଼ି ଚାଲିଯାଇଥିଲେ ମାଳତୀ । ଏହାପରେ ଅଧିକ ଉଗ୍ର ହୋଇ ନିଜ ଦୁଇ ବର୍ଷ ପିଲାକୁ କଟୁରୀରେ ବାରମ୍ବାର ଆକ୍ରମଣ କରିଥିଲା ରାଧା । ଜଣେ ପଡ଼ୋଶୀ ବୃଦ୍ଧା ଜନାଇ ସାନ୍ତା ପିଲାକୁ ବଞ୍ଚାଇବାକୁ ଯାଇଥିବା ବେଳେ ତାଙ୍କୁ ବି ହାଣିଥିଲା ମଦ୍ୟପ ରାଧା । ଗ୍ରାମବାସୀ ତାକୁ କାବୁ କରି ନିର୍ଧୁମ ମାଡ଼ ମାରିଥିଲେ। ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ସେଠାରେ ରାଧେର ମୃତ୍ୟୁ ହୋଇଛି ।
ଏ ଘଟଣା ନେଇ ମୈଦଲପୁର ଥାନାରେ ମୃତ ବୃଦ୍ଧା ଜନାଏର ପୁଅ ସିମାଞ୍ଚଳ ସାନ୍ତା ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ଲିଖିତ ଅଭିଯୋଗକୁ ଆଧାର କରି ମଇଦଲପୁର ଥାନାରେ କେସ ନଂ ୧୫୪/୨୩ ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ, ଥାନା ଅଧିକାରୀ ବିପିନ କୁମାର କୁଲଦୀପ, ପାପଡାହାଣ୍ଡି ଏସଆଇ ଶିବଜୀ ପଣ୍ଡା, ଥାନା ଏଏସଆଇ କମଳଲୋଚନ ନାୟକ, ଲୋକେଶ ଭୋଇ ଏବଂ ଏକ ସାଇଣ୍ଟିଫିକ୍ ଟିମ୍ ପ୍ରମୁଖ ପହଞ୍ଚି ତତନ୍ତ କରିବା ସହ ଶିଶୁ ପୁତ୍ର ଓ ବୃଦ୍ଧାଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏ ନେଇ ପାପଡାହାଣ୍ଡି ଏସଡିପିଓ ସୂଚନା ଦେଇ କହିଛନ୍ତି ଅଭିଯୁକ୍ତ ମଦ୍ୟପାନ କରି ତାର ମାନସିକ ସ୍ଥିତି ଠିକ ନଥିଲା । ଘରୋଇ କଳିକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।