Below header

UPSCରେ ସାରାଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର, ପୁଅର ରେଜଲ୍ଟ ଶୁଣିବାକୁ କ୍ୟାନ୍ସର ସହ ଲଢ଼େଇ କରି ଶେଷରେ ହାର ମାନିଗଲେ ମାଆ

ବହୁତ ଦିନ ଧରି ପୁଅକୁ ଉତ୍ସାହିତ କରି କରି ଶେଷରେ ରୋଗ ଆଗରେ ହାରିଗଲେ ଆଉ ଠିକ୍‌ ପୁଅର ୟୁପିଏସସି ଫଳାଫଳ ବାହାରିବାର ମାସକ ତଳେ ସବୁଦିନ ପାଇଁ ଛାଡି ଚାଲିଗଲେ । ପୁଅ କହୁଛନ୍ତି ଆଜି ମାଆ ଥିଲେ ବହୁତ ଖୁସି ହୋଇଥାନ୍ତା, ଶୁଣିଥାନ୍ତା ତା ପୁଅ ତା ସ୍ୱପ୍ନକୁ ପୂରଣ କରିଛି ।

ୟୁପିଏସସିର ଇଣ୍ଟର୍ଭ୍ୟୁ ରାଉଣ୍ଡ ପାଇଁ ପୂରା ଜୋରସୋରରେ ବ୍ୟସ୍ତ ଥାଏ ପୁଅ । କିନ୍ତୁ ହଠାତ୍‌ ତାରି ଭିତରେ ଆଖି ବୁଜିଦେଲେ ପୁଅକୁ ସାହସ ଦେଉଥିବା କ୍ୟାନ୍ସର ପୀଡିତା ମାଆ । ବହୁତ ଦିନ ଧରି ପୁଅକୁ ଉତ୍ସାହିତ କରି କରି ଶେଷରେ ରୋଗ ଆଗରେ ହାରିଗଲେ ଆଉ ଠିକ୍‌ ପୁଅର ୟୁପିଏସସି ଫଳାଫଳ ବାହାରିବାର ମାସକ ତଳେ ସବୁଦିନ ପାଇଁ ଛାଡି ଚାଲିଗଲେ । ପୁଅ କହୁଛନ୍ତି ଆଜି ମାଆ ଥିଲେ ବହୁତ ଖୁସି ହୋଇଥାନ୍ତା, ଶୁଣିଥାନ୍ତା ତା ପୁଅ ତା ସ୍ୱପ୍ନକୁ ପୂରଣ କରିଛି । କିନ୍ତୁ ମାଆ ଆଜି ନାହିଁ ଖୁସି ମନାଇବାକୁ… ଆମେ କହୁଛୁ ଅନିମେଶଙ୍କ କଥା । ହଁ ଇଏ ସେହି ଅନିମେଶ ପ୍ରଧାନ ଯିଏ ସାରା ଦେଶରେ ଟପ୍‌ ୨ ରାଙ୍କରେ ଅଛନ୍ତି ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ।

କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ଦ୍ୱାରା ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷାରେ ଅନୁଗୁଳ ଜିଲ୍ଲା ତାଳଚେରର ପୁଅ ଅନିମେଶ ପ୍ରଧାନ ସାରାଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହାସହ ସେ ରାଜ୍ୟ ଟପ୍ପର ହୋଇଛନ୍ତି। ବହୁ ପ୍ରତିକୂଳ ପରିସ୍ଥିତିରେ ସେ ପାଠ ପଢ଼ି ଏହି ସଫଳତା ପାଇଥିଲାବେଳେ ତାଙ୍କ ପାଇଁ ତାଳଚେର ଗର୍ବିତ ହୋଇଛି। ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ ଭାଲୁଗାଡ଼ିଆ ଗାଁରେ ଜନ୍ମିତ ଅନିମେଶ ପିଲାଟି ଦିନରୁ ମେଧାବୀ ଥିଲେ। ତାଳଚେରସ୍ଥିତ କଳିଙ୍ଗ ଡିଏଭି ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ। ଏଠାରେ ଏଲକେଜିରୁ ପାଠପଢ଼ା ଆରମ୍ଭ କରି ଯୁକ୍ତ୨ ପର୍ଯ୍ୟନ୍ତ ପଢ଼ିଥିଲେ। ଯୁକ୍ତ ୨ରେ ୯୮.୪ ପ୍ରତିଶତ ନମ୍ବର ରଖି ସେ ରେକର୍ଡ କରିଥିଲେ। ପରେ ସେ ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଏନ୍ଆଇଟିରେ କମ୍ପ୍ୟୁଟର ସାଇନ୍ସ ପଢ଼ିଥିଲେ। ୨୦୨୧ରେ ତାଙ୍କ ପଢ଼ା ଶେଷ ହେବାପରେ ସେ ଇଣ୍ଡିଆନ ଅଏଲରେ ଚାକିରି ପାଇଥିଲେ। ନୂଆଦିଲ୍ଲୀରେ ତାଙ୍କର ପୋଷ୍ଟିଂ ହୋଇଥିଲା। ସେଠାରେ ରହି ସେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଆଉ ପ୍ରଥମ ଉଦ୍ୟମରେ ହିଁ ସେ ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରି ସଫଳତା ହାସଲ କରିଛନ୍ତି ।

ତେବେ ଆପଣ ଜାଣିଛନ୍ତି ଅନିମେଶଙ୍କ ଏହି ସଫଳତାର ଯାତ୍ରା କିନ୍ତୁ ବିଲକୁଲ ସହଜ ନ ଥିଲା। ଯାବତୀୟ ପ୍ରତିକୂଳ ପରିସ୍ଥିତି ସହ ସେ ଲଢ଼ି ଲଢ଼ି ଆଜି ସଫଳ ହୋଇଛନ୍ତି। ଅନିମେଶଙ୍କ ବାପା ପ୍ରଭାକର ପ୍ରଧାନ ହିଙ୍ଗୁଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରହିଥିଲାବେଳେ ଗତ ୨୦୧୫ରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା। ବାପାଙ୍କ ଅକାଳ ବିୟୋଗ ଘରର ଏକମାତ୍ର ପୁଅ ଅନିମେଶଙ୍କୁ ଶକ୍ତ ଧକ୍କା ଦେଇଥିଲେ ମଧ୍ୟ ସେ ଲକ୍ଷ୍ୟରୁ ହଟି ନଥିଲେ। ଏପଟେ ଇଂଜିନିୟରିଂ ସାରି ପ୍ରଶାସନିକ ସେବାପାଇଁ ପ୍ରସ୍ତୁତି ଆରମ୍ଭ କଲାବେଳେ ତାଙ୍କ ମା’ ଅରୁଣା ପାତ୍ର ମାରାତ୍ମକ କ୍ୟାନସର୍‌ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସେତେବେଳେ ଅନିମେଶଙ୍କ ମା’ ଭରତପୁର ଏମସିଏଲରେ ଚାକିରି କରୁଥିଲେ। ମା’ କ୍ୟାନସର୍‌ ସହ ଲଢ଼ୁଥିଲାବେଳେ ପ୍ରଶାସନିକ ସେବାପାଇଁ ଦିନରାତି ଏକ କରିଦେଇଥିଲେ ଅନିମେଶ। କିନ୍ତୁ କେବେବି ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଭୁଲି ନଥି‌ଲେ। ମା’ଙ୍କୁ ଡାକ୍ତରଖାନା ନେବା, ଡାକ୍ତରଙ୍କ ସହ ପରାମର୍ଶ କରିବା ଓ ଘରର ସବୁକଥା ବୁଝିବା ଆଉ ତାସହିତ ପାଠପଢ଼ା, ଏସବୁ ପ୍ରତି ସେ କେବେବି ହେଳା କରୁ ନଥିଲେ। ଯେଉଁ କାରଣରୁ ଏହାର ଫଳ ଏବେ ଅନିମେଶଙ୍କୁ ମିଳିଛି। ତେବେ ଏହି ଖୁସି ଖବର ପାଇବା ପୂର୍ବରୁ ଗତ ମାର୍ଚ୍ଚ ୧ ତାରିଖରେ ତାଙ୍କ ମା’ଙ୍କ ପରଲୋକ ହୋଇଯାଇଛି। ଜୀବନର ଏତେବଡ଼ ସଫଳତା ପାଇଥିବା ଅନିମେଶ ଉଭୟ ପିତାମାତାଙ୍କୁ ହରାଇଥିଲାବେଳେ ତାଙ୍କର ଏକମାତ୍ର ଭଉଣୀ ଅନ୍ବେଷା ପ୍ରଧାନ ଏବେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଭାବେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ କାର୍ଯ୍ୟରତ।

ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହେବା ପରେ ଅନିମେଶ କହିଛନ୍ତି, ‘ଏହା ମୋ ଜୀବନରେ ବଡ଼ ଖୁସି। ହେଲେ ଏହି ଖୁସି ବାଣ୍ଟିବାକୁ ମୋ ସହ ବାପା, ମା’ ନାହାନ୍ତି। ତଥାପି ସବୁ ଶ୍ରେୟ ସେମାନଙ୍କର। ମୋ ଖୁସି ପାଇଁ ମା’ ‌ଗତମାସ ପର୍ଯ୍ୟନ୍ତ କ୍ୟାନସର୍‌ ସହ ଲଢ଼େଇ କରୁଥିଲେ। ବାପା, ମା’ଙ୍କ ଆଶୀର୍ବାଦ ବିନା ଏହି ସଫଳତା ମୋତେ ଆଦୌ ବି ମିଳି ନଥାନ୍ତା। ମୋ ଦିଦି ଓ ଭାଇନାଙ୍କର ବଡ଼ ଅବଦାନ ରହିଛି ବୋଲି କହିଛନ୍ତି ଅନିମେଶ୍‌ । ତେବେ ସେ କହିଛନ୍ତି ଏତେ ବଡ ସପଳତା ପାଇଁ ପାଠ ପଢ଼ା ସହିତ ଭାଗ୍ୟ ବି ସାଥ୍‌ ଦେବା ଦରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.