ଆଭେଞ୍ଜର୍ସ ଏଣ୍ଡଗେମ୍ । ଏହି ହଲିଉଡ୍ ଫିଲ୍ମ ରିଲିଜ୍ର ପ୍ରଥମ ଦିନ ଭାରତରେ ୫୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଥିବା ବେଳେ ସାରା ବିଶ୍ୱରେ ୧୧୮୬ କୋଟି ଟଙ୍କା ରୋଜଗାର କରିଛି । ମୋଟ୍ ଉପରେ ଏହି ହଲିଉଡ୍ ଫିଲ୍ମ ୪୧୯ କୋଟିର ବ୍ୟବସାୟ କରିବ ବୋଲି ପୂର୍ବାନୁମାନ କରାଯାଉଥିଲା । ହେଲେ ବର୍ତ୍ତମାନ ଏହାର କ୍ରେଜ୍ ଦେଖି ଜଣାପଡୁଛି ଯେ ବେପାର ଆହୁରି ଅଧିକ ହେବ ।
ଭାରତରେ ସର୍ବାଧିକ ୨୮୪୫ଟି ସିନେମା ହଲ୍ରେ ରିଲିଜ୍ ହୋଇଛି ଆଭେଞ୍ଜର୍ସ ଏଣ୍ଡଗେମ୍ । ହିନ୍ଦୀ, ଇଂରାଜୀ, ତାମିଲ ଓ ତେଲୁଗୁ ମୋଟ୍ ୪ଟି ଭାଷାରେ ଫିଲ୍ମଟି ହଲ୍କୁ ଆସିଛି । ଯେକୌଣସି ହଲିଉଡ୍ ଫିଲ୍ମ ପାଇଁ ଭାରତରେ ଏହା ହେଉଛି ସର୍ବାଧିକ ଓପନିଂ । ଉଭୟ ସର୍ବାଧିକ ସିନେମା ହଲ୍ରେ ରିଲିଜ୍ ହେବା ସହ ବ୍ୟବସାୟରେ ଏକନମ୍ବର ହୋଇଛି ଆଭେଞ୍ଜର୍ସ ଏଣ୍ଡଗେମ୍ ।
୨୦୧୫ରେ ଅନ୍ତର୍ଜାତୀୟ ସ୍ତରରେ ‘ଷ୍ଟାର ଓ୍ଵାର୍ସ : ଦ ଫୋର୍ସ ଆଓ୍ଵକେନ୍ସ’ ସର୍ବାଧିକ ଓପନିଂ କରିଥିଲା । ରିଲିଜ୍ର ପ୍ରଥମ ଦିନରେ ଏହା ଆୟ କରିଥିଲା ୩୯୮ କୋଟି ଟଙ୍କା । ଗତ ୨୪ ତାରିଖ ଦିନ ସାରା ବିଶ୍ୱରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ତିନି ଦିନ ଭିତରେ ୪୨୦୦ କୋଟି ଟଙ୍କା ଆୟ କରିଥିବା ବେଳେ ଏଥିରେ କେବଳ ଚୀନ୍ର ଭାଗ ହେଉଛି ୧୫୦୦ କୋଟି ଟଙ୍କା ।
ଭାରତରେ କୌଣସି ହଲିଉଡ୍ ଫିଲ୍ମ ପ୍ରଥମ ଦିନରେ ସର୍ବାଧିକ ବେପାର କରିବାର ରେକର୍ଡ଼ ମଧ୍ୟ ଆଭେଞ୍ଜର୍ସ ଏଣ୍ଡଗେମ୍ ନାଁରେ ରହିଲା । ପୂର୍ବରୁ ଏହି ରେକର୍ଡ଼ ଏହାର ସିରିଜ୍ ‘ଆଭେଞ୍ଜର୍ସ ଇନଫିନିଟି ଓ୍ଵାର’ ନାଁରେ ଥିଲା । ୨୦୧୮ ଏପ୍ରିଲ ୨୭ ତାରିଖରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନରେ ୩୧ କୋଟି ୩୦ ଲକ୍ଷ ଏବଂ ମୋଟ୍ରେ ୨୨୨ କୋଟି ୬୯ ଲକ୍ଷ ଟଙ୍କା ଆୟ କରିଥିଲା । ତେବେ ଏହି ରେକର୍ଡ଼ ଭାଙ୍ଗି ଆଭେଞ୍ଜର୍ସ ଏଣ୍ଡଗେମ୍ କେବଳ ଭାରତରେ ୩୦୦ କୋଟି ଟଙ୍କା ପାର କରିଯିବ ବୋଲି ଅନୁମାନ କରାଯାଉଛି । ଏମିତିକି ଏହି ଫିଲ୍ମ ବଲିଉଡ୍କୁ ମଧ୍ୟ ଚ୍ୟାଲେଞ୍ଜ ଦେଇଛି । ୨୦୧୮ରେ ଆସିଥିବା ଅମୀର ଖାନ୍ଙ୍କ ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’କୁ ସର୍ବାଧିକ ଓପନିଂ ମିଳିଥିଲା । ପ୍ରଥମ ଦିନରେ ଏହା ୫୨ କୋଟି ଟଙ୍କା ଆୟ କରିଥିଲା ।
ମାର୍ଭଲ୍ର ସବୁଠାରୁ ଲମ୍ବା ଫିଲ୍ମ ହେଉଛି ଆଭେଞ୍ଜର୍ସ ଏଣ୍ଡଗେମ୍ । ୩ ଘଣ୍ଟା ୨ ମିନିଟ୍ । ଯେଉଁଥିରେ ୨୨ରୁ ଅଧିକ ସୁପର ହିରୋ ମହାକାଶରୁ ଆସିଥିବା ଶକ୍ତିଶାଳୀ ଶତ୍ରୁ ଥେନୋସ୍ ସହିତ ଲଢ଼େଇ କରିଛନ୍ତି । ଯାହା ଆଭେଞ୍ଜର୍ସ ସିରିଜ୍ର ହେବ ଶେଷ ଫିଲ୍ମ । ତେଣୁ ପ୍ରବଳ ମାତ୍ରାରେ ସିନେପ୍ରେମୀ ଏହି ଫିଲ୍ମକୁ ଦେଖୁଛନ୍ତି ।