ନୂଆଦିଲ୍ଲୀ : ଗତକାଲି ସ୍କାଏମେଟ୍ର ପୂର୍ବାନୁମାନ ଥିଲା ଯେ ଚଳିତ ବର୍ଷ ମୌସୁମୀ ବାୟୁ ଜୁନ୍ ୪ ତାରିଖରେ କେରଳରେ ପହଞ୍ଚିବ । ହେଲେ ଭାରତୀୟ ପାଣିପାଗ ବିଜ୍ଞାନ ଗବେଷଣା କେନ୍ଦ୍ର ଆଇଏମ୍ଡିର ଆକଳନ ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୬ରେ କେରଳରେ ପ୍ରବେଶ କରିବ ।
ଆସନ୍ତା ମେ ୧୮ କିମ୍ବା ୧୯ ବେଳକୁ ମୌସୁମୀ ବାୟୁ ଆଣ୍ଡାମାନ ନିକୋବରରେ ପ୍ରବେଶ କରିବ । ସାଧାରଣତଃ ଏହାର ୧୦ ଦିନ ପରେ ଏହା କେରଳରେ ପହଞ୍ଚିଥାଏ । ତେବେ ଏଥର ଏହି ପ୍ରକ୍ରିୟାରେ ବିଳମ୍ବ ଘଟିବ ବୋଲି ଆଇଏମ୍ଡି ସୂଚନା ଦେଇଛି । ତେବେ ଏଥର ମୌସୁମୀ ବାୟୁ ଚଳନ ମଡେଲ୍ରେ କିଛି ତ୍ରୁଟିି ରହୁଥିବାରୁ ଧାର୍ଯ୍ୟ ଦିନରେ କିଛି ଏପାଖ ସେପାଖ ମଧ୍ୟ ହୋଇ ପାରେ । ଜୁନ୍ ୨ରୁ ୧୦ ତାରିଖ ମଧ୍ୟରେ ଏହା କେରଳରେ ପ୍ରବେଶ କରି ପାରେ ବୋଲି ମଧ୍ୟ ପାଣିପାଗ ବିଜ୍ଞାନୀ କହିଛନ୍ତି ।
ଏଥର ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ କମ୍ ହେବ ବୋଲି ସ୍କାଏମେଟ୍ କହିଥିବା ବେଳେ ଆଇଏମ୍ଡି ସ୍ୱାଭାବିକ ବର୍ଷା ହୋଇ ପାରେ ଏବଂ କମ୍ ବର୍ଷାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛି ।